ଭୁବନେଶ୍ୱର: ଚଳିତ ବର୍ଷ ଏସୀୟ ପାରା କ୍ରୀଡ଼ାରେ ରୌପ୍ୟ ପଦକ ବିଜୟିନୀ ପାୟଲ ନାଗଙ୍କୁ ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଛନ୍ତି । କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂହ ପୁନିଆ ଏବଂ ନିର୍ଦ୍ଦେଶକ ଡ଼ା. ୟେଦୁଲା ବିଜୟ ପାୟଲଙ୍କୁ ସମ୍ବର୍ଦ୍ଧିତ କରିବା ସହ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି।
ପାୟଲ ନାଗ ପଞ୍ଚମ ଏସୀୟ ପାରା କ୍ରୀଡ଼ାରେ ମହିଳା ପାରା କମ୍ପାଉଣ୍ଡ ମହିଳା ଡବଲ୍ସରେ ତୀରନ୍ଦାଜରେ ରୌପ୍ୟ ପଦକ ହାସଲ କରିଥିଲେ । ଆଜି କଳିଙ୍ଗ ଷ୍ଟାଡ଼ିୟମ୍ଠାରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଚି । ସଚିବ ଭୂପେନ୍ଦ୍ର ସିଂହ ପୁନିଆ କହିଛନ୍ତି ଯେ ପାୟଲଙ୍କ ଏହି ସଫଳତା ଓଡ଼ିଶାର ସମସ୍ତ କ୍ରୀଡ଼ାବିତ୍ଙ୍କୁ ପ୍ରେରଣା ପ୍ରଦାନ କରିଛି। ପାୟଲଙ୍କ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିବା ସହ କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କ ସାମଗ୍ରିକ ବିକାଶ ଲକ୍ଷ୍ୟରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ନିରନ୍ତର ଭାବେ କାର୍ଯ୍ୟ କରାଯାଉଛି ବୋଲି ସେ କହିଛନ୍ତି ।
ଏସୀୟ କ୍ରୀଡ଼ାରେ ଓଡ଼ିଶାର ପାୟଲ ନାଗ୍ ଏବଂ ଶୀତଲ ଦେବୀଙ୍କ ଯୋଡ଼ି ଆର୍ଚେରୀ ପାରା କମ୍ପାଉଣ୍ଡ ମହିଳା ଡବଲ୍ସରେ ରୌପ୍ୟ ପଦକ ହାସଲ କରିଥିଲେ । ଉଭୟ ସ୍ୱର୍ଣ୍ଣ ପଦକରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ମହିଳା ପାରା-କମ୍ପାଉଣ୍ଡ ଡବଲ୍ସ ଇଭେଣ୍ଟରେ ସେମାନେ ଚୀନ୍ଠାରୁ ୧୫୦–୧୪୧ ପଏଣ୍ଟରେ ପରାସ୍ତ ହୋଇଛନ୍ତି । ଏହି ପରାଜୟ ପରେ, ଶୀତଲ ଏବଂ ପାୟଲଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।