ମୁମ୍ବାଇ: ଆଇପିଏଲ୍ ୨୦୨୭କୁ ନେଇ କ୍ରିକେଟ୍ ମହଲରେ ଚର୍ଚ୍ଚା ଜୋର ଧରିଛି। ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ପଞ୍ଜାବ କିଙ୍ଗ୍ସ (PBKS) ପକ୍ଷରୁ ଖେଳିବାକୁ ଯାଉଥିବା ବେଳେ ଦ୍ରୁତ ବୋଲର ଅର୍ଶଦୀପ ସିଂ ମୁମ୍ବାଇ ଇଣ୍ଡିଆନ୍ସ (MI) ଦଳରେ ସାମିଲ ହେବେ। ଏହି ଦୁଇ ଖେଳାଳିଙ୍କ ଅଦଳବଦଳ ବା ଟ୍ରେଡ୍ ଡିଲ୍କୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ମଞ୍ଜୁରୀ ଦେଇଥିବା ନେଇ କ୍ରିକେଟ୍ ମହଲରେ ଖବର ପ୍ରକାଶ ପାଇଛି।
କ୍ରିକ୍ବଜ୍ର ଏକ ରିପୋର୍ଟ ଅନୁସାରେ, BCCI ଏହି ଟ୍ରେଡ୍ ଡିଲ୍କୁ ଆନୁଷ୍ଠାନିକ ଅନୁମତି ଦେଇସାରିଛି। ଏନେଇ ଉଭୟ ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସକୁ ମଧ୍ୟ ସୂଚନା ଦିଆଯାଇଛି। ଅପରାହ୍ନ ସମୟରେ ଏହି ମଞ୍ଜୁରୀ ମିଳିଥିବା ରିପୋର୍ଟରେ ଦାବି କରାଯାଇଛି। ଖୁବ୍ଶୀଘ୍ର ଦୁଇ ଫ୍ରାଞ୍ଚାଇଜ୍ ପକ୍ଷରୁ ଏନେଇ ଆଧିକାରିକ ଘୋଷଣା ହୋଇପାରେ।
ଦୁଇ ଖେଳାଳିଙ୍କ ଦରମାରେ ହେବନି ପରିବର୍ତ୍ତନ
ଏହି ଟ୍ରେଡ୍ ଡିଲ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି, ଦୁଇ ଖେଳାଳିଙ୍କ ପାରିଶ୍ରମିକରେ କୌଣସି ପରିବର୍ତ୍ତନ ହୋଇନାହିଁ। ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଖେଳି ୧୬.୩୫ କୋଟି ଟଙ୍କା ପାଇବେ। ସେହିପରି ଅର୍ଶଦୀପ ସିଂ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳି ୧୮ କୋଟି ଟଙ୍କା ପାଇବେ। ଅର୍ଥାତ୍, ପୁରୁଣା ଫ୍ରାଞ୍ଚାଇଜ୍ରେ ଯେଉଁ ପାରିଶ୍ରମିକ ମିଳୁଥିଲା, ନୂଆ ଦଳରେ ମଧ୍ୟ ସେହି ସମାନ ଅର୍ଥ ମିଳିବ।
କାହିଁକି ବିଳମ୍ବ ହେଲା ଟ୍ରେଡ୍ ଡିଲ୍?
ରିପୋର୍ଟ ଅନୁସାରେ, ପ୍ରାୟ ଏକ ସପ୍ତାହ ପୂର୍ବରୁ ଏହି ଟ୍ରେଡ୍କୁ ନେଇ ଆଲୋଚନା ଆରମ୍ଭ ହୋଇଥିଲା। କିନ୍ତୁ ଆବଶ୍ୟକ କାଗଜପତ୍ରରେ ଦସ୍ତଖତ କରିବାକୁ ଖେଳାଳିଙ୍କ ପକ୍ଷରୁ କିଛି ସମୟ ଲାଗିଥିଲା। ନିଜ ନିଜ ଫ୍ରାଞ୍ଚାଇଜ୍ ସହ ଆଲୋଚନା ପରେ ଉଭୟ ଖେଳାଳି ଏହି ଡିଲ୍ ପାଇଁ ରାଜି ହୋଇଥିଲେ। ଏହାପରେ ଦୁଇ ଦଳ BCCI ନିକଟରେ ଟ୍ରେଡ୍ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଶେଷରେ ବୋର୍ଡର ମଞ୍ଜୁରୀ ମିଳିଥିବା ଖବର ସାମ୍ନାକୁ ଆସିଛି।