ପାଟନା: ବିହାରର ବାହୁବଳୀ ନେତା ତଥା ମୋକାମା ବିଧାୟକ ଅନନ୍ତ ସିଂହଙ୍କ ଘରେ ଏବେ ବାହାଘରର ଧୁମ୍। ତାଙ୍କ ଝିଅ ଶିବାଙ୍ଗୀ ସିଂହଙ୍କ ବିବାହକୁ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି। ନଭେମ୍ବର ୨୫ରେ ରିଷିକେଶ କୁମାରଙ୍କ ହାତ ଧରିବେ ଶିବାଙ୍ଗୀ। ତେବେ ଏହି ବାହାଘର କେବଳ ପରିବାର ମଧ୍ୟରେ ସୀମିତ ରହିବ ନାହିଁ। ଏଥିପାଇଁ ଏଭଳି ବିଶାଳ ଆୟୋଜନ କରାଯାଉଛି ଯେ, ପ୍ରାୟ ୪ ଲକ୍ଷ ଲୋକଙ୍କ ପାଇଁ ଖାଇବା ଓ ରହିବା ବ୍ୟବସ୍ଥା କରାଯାଉଛି।
୪ ଲକ୍ଷ ଲୋକଙ୍କ ପାଇଁ ଭୋଜି ଆୟୋଜନ
ନଭେମ୍ବର ୨୫ରେ ବିହାରର ଲଦମା ଗାଁରେ ଥିବା ଅନନ୍ତ ସିଂହଙ୍କ ପୈତୃକ ଘରେ ବିବାହ ଅନୁଷ୍ଠିତ ହେବ। ଏହି ଭବ୍ୟ ଆୟୋଜନ ପାଇଁ ଦିନରାତି କାମ ଚାଲିଛି। ବିବାହରେ ପ୍ରାୟ ୪ ଲକ୍ଷ ଅତିଥି ଯୋଗଦେବାର ଆକଳନ କରାଯାଇଛି। ସେହି ଅନୁସାରେ ଭୋଜି ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଉଛି।
୧୦୦ ଫୁଟ୍ର ଷ୍ଟେଜ୍, ୧୫୦ କ୍ୱିଣ୍ଟାଲ ଅଳଙ୍କାରରେ ସଜାହେବ ମଣ୍ଡପ
ବିବାହ ପାଇଁ ଏକ ୧୦୦ ଫୁଟ୍ ଲମ୍ବର ସିମେଣ୍ଟ ଷ୍ଟେଜ୍ ତିଆରି କରାଯାଉଛି। ବର ଓ କନ୍ୟାଙ୍କ ବରମାଳା କାର୍ଯ୍ୟକ୍ରମ ପାଇଁ ଏହି ଷ୍ଟେଜ୍କୁ ପ୍ରାୟ ୧୫୦ କ୍ୱିଣ୍ଟାଲ ଅଳଙ୍କାରରେ ସଜାଇବାର ଯୋଜନା ରହିଛି। ଭିଆଇପି ଅତିଥିଙ୍କ ପାଇଁ ଅଲଗା ମଣ୍ଡପ ମଧ୍ୟ ତିଆରି ହେଉଛି। ଉତ୍ତରପ୍ରଦେଶର ମଉରୁ ଆସିଥିବା କାରିଗରମାନେ ବିବାହ ମଣ୍ଡପ ଓ ଷ୍ଟେଜ୍ ନିର୍ମାଣ କରୁଛନ୍ତି। ନଭେମ୍ବର ୨୦ ସୁଦ୍ଧା ମୁଖ୍ୟ ମଣ୍ଡପ କାମ ଶେଷ କରିବାକୁ ଲକ୍ଷ୍ୟ ରହିଛି।
ବିବାହ ପରେ ବର ରିଷିକେଶଙ୍କ ପରିବାର ବିହଟାର ରାମକୃଷ୍ଣ ନଗରରେ ରହିବେ। ସେଠାରେ ଏକ ନୂଆ ଘର ମଧ୍ୟ ନିର୍ମାଣ କରାଯାଉଛି। ବିବାହ ସମ୍ପର୍କିତ ଅନ୍ୟାନ୍ୟ ରୀତିନୀତି ଏହି ଘରେ ହେବ। ବରଯାତ୍ରୀ ବିହଟାରୁ ଲଦମା ଗାଁକୁ ଯିବେ।
ବଲିଉଡ୍ ଷ୍ଟାର୍ଙ୍କଠାରୁ ମୋଦୀଙ୍କୁ ନିମନ୍ତ୍ରଣ
ଏହି ବିବାହକୁ ରାଜନୀତି ଓ ମନୋରଞ୍ଜନ ଜଗତର ଅନେକ ବଡ଼ ବଡ଼ ଚେହେରାଙ୍କୁ ନିମନ୍ତ୍ରଣ କରାଯାଇଛି। ପ୍ରାୟ ୩୬ ଜଣ ବଲିଉଡ୍ ଓ ମନୋରଞ୍ଜନ ଜଗତର କଳାକାର ଯୋଗଦେବାର ଚର୍ଚ୍ଚା ହେଉଛି। ଏଥିରେ ସୋନୁ ସୁଦ, ମନୋଜ ତିୱାରୀ, ମୈଥିଲୀ ଠାକୁର, ଅକ୍ଷରା ସିଂହ ଓ ପୱନ ସିଂହଙ୍କ ନାମ ରହିଛି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ନିମନ୍ତ୍ରଣ ପତ୍ର ଦିଆଯିବ ବୋଲି ଅନନ୍ତ ସିଂହ କହିଛନ୍ତି। ତାଙ୍କ କହିବା ଅନୁସାରେ, ଶାସକ ଓ ବିରୋଧୀ ଦଳର ନେତାଙ୍କ ସମେତ ବିହାର ଓ ଦେଶର ବିଭିନ୍ନ ସ୍ଥାନର ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି।
ବାହାଘରର ୬ ଦିନ ପରେ ଆତ୍ମସମର୍ପଣ କରିପାରନ୍ତି
ଅନ୍ୟପଟେ, ଏହି ଭବ୍ୟ ବିବାହ ଉତ୍ସବର ମାତ୍ର ୬ ଦିନ ପରେ ଅନନ୍ତ ସିଂହଙ୍କୁ ଦୁଲାରଚନ୍ଦ ଯାଦବ ହତ୍ୟା ମାମଲାରେ ଆତ୍ମସମର୍ପଣ କରିବାକୁ ପଡ଼ିପାରେ। ଏହି ହତ୍ୟା ମାମଲାରେ ଷଡ଼ଯନ୍ତ୍ର ଅଭିଯୋଗରେ ସେ ଗତବର୍ଷ ଅକ୍ଟୋବରରେ ଗିରଫ ହୋଇଥିଲେ ଏବଂ ମାର୍ଚ୍ଚରେ ଜାମିନରେ ମୁକୁଳିଥିଲେ। ନଭେମ୍ବର ୨୫ରେ ଝିଅର ବାହାଘର ପରେ ଡିସେମ୍ବର ୧ ପୂର୍ବରୁ ଆତ୍ମସମର୍ପଣ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।
ତେଣୁ ଏକପଟେ ଝିଅର ବାହାଘରକୁ ନେଇ ଅନନ୍ତ ସିଂହଙ୍କ ପରିବାରରେ ଉତ୍ସବର ମାହୋଲ ଥିବାବେଳେ ଅନ୍ୟପଟେ ଆଇନଗତ ମାମଲାକୁ ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି।