ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେମିତି ରହିଛି ସମ୍ପର୍କ? ସଂସଦରେ ସାକ୍ଷାତ ହେଲେ କ’ଣ ହୁଏ କଥାବାର୍ତ୍ତା? ମୋଦିଙ୍କ ସହ ନିଜ ସମ୍ପର୍କ ଓ ବିଚାରଧାରାକୁ ନେଇ ଏଭଳି ଅନେକ ରୋଚକ କଥାର ଖୁଲାସା କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ତାଙ୍କ ନୂଆ ଆତ୍ମଜୀବନୀ ‘Belonging: A Journey of Love’ରେ ପ୍ରଧାନମନ୍ତ୍ରୀ ମୋଦି, ବିଜେପି, ଆରଏସଏସ ଓ ଭାରତର ଭବିଷ୍ୟତକୁ ନେଇ ସେ ନିଜ ମତ ରଖିଛନ୍ତି। ଆଜି ଅର୍ଥାତ ନଭେମ୍ବର ୧୦ ତାରିଖରେ ବଜାରକୁ ଆସିଥିବା ଏହି ପୁସ୍ତକ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି।
ମୋଦିଙ୍କ ସହ କେବେ ହୋଇନି ବ୍ୟକ୍ତିଗତ କଥାବାର୍ତ୍ତା
ସୋନିଆ ଲେଖିଛନ୍ତି ଯେ, ୧୨ ବର୍ଷରୁ ଅଧିକ ସମୟ ଧରି ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଥିଲେ ମଧ୍ୟ ତାଙ୍କ ସହ କେବେ ବି ପ୍ରକୃତରେ ବ୍ୟକ୍ତିଗତ କଥାବାର୍ତ୍ତା ହୋଇନାହିଁ। ସଂସଦ ଅଧିବେଶନ ଶେଷରେ ଲୋକସଭା ବାଚସ୍ପତିଙ୍କ କକ୍ଷରେ ବିଭିନ୍ନ ଦଳର ନେତାଙ୍କ ସହ ସାକ୍ଷାତ ହୁଏ। ଏଭଳି ସମୟରେ ମୋଦି ଓ ସେ ପରସ୍ପରକୁ ଔପଚାରିକ ଭାବେ ନମସ୍କାର କରନ୍ତି।
ହେଲେ ଏହା ପୂର୍ବ ସମୟର ରାଜନୈତିକ ସୌହାର୍ଦ୍ଦଠାରୁ ଭିନ୍ନ ବୋଲି ସୋନିଆ ଲେଖିଛନ୍ତି। ତାଙ୍କ ଅନୁସାରେ, ମୋଦି ତାଙ୍କ ଆଡ଼କୁ ଚାହିଁବା କିମ୍ବା ଆଖିରେ ଆଖି ମିଶାଇବାରୁ ଦୂରେଇ ରୁହନ୍ତି। ତେବେ ଅସୁସ୍ଥତା ପରେ ସଂସଦକୁ ଫେରିଲେ ମୋଦି କେବେ କେବେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିଥିବା କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ଜନ୍ମଦିନ ଓ ନୂଆବର୍ଷର ଶୁଭେଚ୍ଛା ଆଦାନପ୍ରଦାନ ବ୍ୟତୀତ ଦୁହିଁଙ୍କ ମଧ୍ୟରେ ଅନ୍ୟ କୌଣସି କଥାବାର୍ତ୍ତା ହୋଇନାହିଁ।
‘ମୋଦି ତାଙ୍କ ଭାରତ ପାଇଁ, ମୁଁ ମୋ ଭାରତ ପାଇଁ ଲଢ଼ୁଛି’
ମୋଦିଙ୍କ ସହ ନିଜର ବିଚାରଧାରାଗତ ମତଭେଦକୁ ନେଇ ମଧ୍ୟ ସୋନିଆ ଖୋଲାଖୋଲି ଲେଖିଛନ୍ତି। ତାଙ୍କ ମତରେ, ମୋଦିଙ୍କ ଭାରତକୁ ଦେଖିବାର ଦୃଷ୍ଟିକୋଣ ତାଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା। ସୋନିଆଙ୍କ ଭାରତ ହେଉଛି ବିଭିନ୍ନ ଜାତି, ଭାଷା, ସଂସ୍କୃତି ଓ ଧର୍ମର ଲୋକଙ୍କୁ ସମାନ ସ୍ୱାଧୀନତା ଓ ଅଧିକାର ଦେଉଥିବା ଏକ ଦେଶ।
ଅନ୍ୟପଟେ ମୋଦିଙ୍କ ଭାରତ ସମ୍ପର୍କିତ ଚିନ୍ତାଧାରା RSSର ବିଚାରକ ଓ ତାଙ୍କ ନିଜ ଅନୁଭୂତିରୁ ଗଢ଼ିଉଠିଥିବା ବୋଲି ସୋନିଆ ମତ ଦେଇଛନ୍ତି। ସେ ଲେଖିଛନ୍ତି, ମୋଦି ନିଜ ଭାରତର ସ୍ୱପ୍ନ ପାଇଁ ଲଢ଼ୁଛନ୍ତି, ଆଉ ସେ ନିଜ ଭାରତର ସ୍ୱପ୍ନ ପାଇଁ ଲଢ଼ୁଛନ୍ତି। ତାଙ୍କ ସ୍ୱପ୍ନର ଭାରତ ହେଉଛି ଧର୍ମନିରପେକ୍ଷତା, ସାମାଜିକ ନ୍ୟାୟ ଓ ସମାବେଶିତା ଉପରେ ଆଧାରିତ।
RSS ଓ ‘କଂଗ୍ରେସ ମୁକ୍ତ ଭାରତ’କୁ ନେଇ ଟାର୍ଗେଟ୍
ବିଜେପିର ‘କଂଗ୍ରେସ ମୁକ୍ତ ଭାରତ’ ନାରାକୁ ନେଇ ମଧ୍ୟ ସୋନିଆ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ମତରେ, କଂଗ୍ରେସ ପ୍ରତି ମୋଦିଙ୍କ ବିରୋଧୀ ମନୋଭାବ ପଛରେ RSSର ବିଚାରଧାରାର ପ୍ରଭାବ ରହିଛି। ହିନ୍ଦୁତ୍ୱର ଏକ କଠୋର ଓ ବହିଷ୍କାରମୂଳକ ରୂପକୁ ରାଜନୈତିକ ଏଜେଣ୍ଡାରେ ପରିଣତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।
ସଂସଦରେ ମୋଦିଙ୍କ ଭାଷଣ ଶୈଳୀକୁ ନେଇ ମଧ୍ୟ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କ ଅନୁସାରେ, ମୋଦି ଅନେକ ସମୟରେ ବିରୋଧୀଙ୍କୁ ଉପହାସ କରିବା ସହ କଠୋର ଭାଷାରେ ଆକ୍ରମଣ କରନ୍ତି। ବିଶେଷକରି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ଟାର୍ଗେଟ୍ କରାଯାଉଥିବା ନେଇ ସେ ଉଲ୍ଲେଖ କରିଛନ୍ତି।
ହିନ୍ଦୁ ଧର୍ମର ବିବିଧତାକୁ ମନେ ପକାଇଲେ ସୋନିଆ
ନିଜ ଶାଶୂ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କଠାରୁ ମିଳିଥିବା ଧାର୍ମିକ ଶିକ୍ଷା ବିଷୟରେ ମଧ୍ୟ ସୋନିଆ ଲେଖିଛନ୍ତି। ହିନ୍ଦୁ ଧର୍ମରେ ଭିନ୍ନ ଭିନ୍ନ ଆସ୍ଥା, ପରମ୍ପରା ଓ ବିଶ୍ୱାସକୁ ସ୍ୱୀକାର କରିବାର ପରମ୍ପରା ରହିଛି ବୋଲି ସେ କହିଛନ୍ତି। ମହାତ୍ମା ଗାନ୍ଧୀଙ୍କ ଅହିଂସା ଓ ଧର୍ମ ସମ୍ପର୍କିତ ବିଚାର ତାଙ୍କ ଚିନ୍ତାଧାରାକୁ ପ୍ରଭାବିତ କରିଥିବା ସେ ଉଲ୍ଲେଖ କରିଛନ୍ତି।
ଜାତିପ୍ରଥାର ଅସମାନତା ଓ ଶୋଷଣକୁ ମଧ୍ୟ ସେ ସମାଲୋଚନା କରିଛନ୍ତି। ଏହି ଆତ୍ମଜୀବନୀ ମାଧ୍ୟମରେ ସୋନିଆ ଗାନ୍ଧୀ କେବଳ ନିଜ ବ୍ୟକ୍ତିଗତ ଜୀବନ ନୁହେଁ, ବରଂ ଦେଶର ରାଜନୀତି ଓ ବିଚାରଧାରାକୁ ନେଇ ନିଜର ଦୃଷ୍ଟିକୋଣ ମଧ୍ୟ ସାମ୍ନାକୁ ଆଣିଛନ୍ତି। ଏବେ ଏହି ପୁସ୍ତକରେ ଥିବା ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ କିଭଳି ପ୍ରତିକ୍ରିୟା ଆସୁଛି, ତାହା ଉପରେ ନଜର ରହିଛି।
ଅଧିକ ପଢନ୍ତୁ: ପ୍ରଧାନମନ୍ତ୍ରୀ ଚୌକି ଛାଡ଼ିବା ପଛରେ କ’ଣ ଥିଲା କାରଣ? ସୋନିଆଙ୍କ ବହିରେ ଭାବପ୍ରବଣ ଖୁଲାସା