ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ନିଲମ୍ବନକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି। ଯଦି କୌଣସି ସରକାରୀ କର୍ମଚାରୀ ଗିରଫ ହେବା ପରେ ୪୮ ଘଣ୍ଟାରୁ ଅଧିକ ସମୟ ବିଚାର ବିଭାଗୀୟ ହାଜତରେ ରହନ୍ତି, ତେବେ ତାଙ୍କୁ ସ୍ୱତଃ ନିଲମ୍ବିତ ବୋଲି ଧରାଯିବ। ଏଥିପାଇଁ ସରକାର କିମ୍ବା ବିଭାଗ ପକ୍ଷରୁ ପୃଥକ ନିଲମ୍ବନ ଆଦେଶ ଜାରି କରିବା ଆବଶ୍ୟକ ନାହିଁ। ବିହାରର ଏକ ଲାଞ୍ଚ ମାମଲାର ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ ଏହି ଗୁରୁତ୍ୱପୂର୍ଣ୍ଣ ମତ ଦେଇଛନ୍ତି।
ଜଷ୍ଟିସ୍ ଜେ.ବି. ପାର୍ଦିୱାଲା ଏବଂ ଜଷ୍ଟିସ୍ ମନମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମତ ରଖିଛନ୍ତି। ଏହା ସହ ବିହାରର ସମସ୍ତିପୁର ସଦର ହସ୍ପିଟାଲର ଜଣେ ପ୍ରଶାସକଙ୍କ ଜାମିନକୁ ମଧ୍ୟ ପୁନର୍ବାର ବଳବତ୍ତର ରଖିଛନ୍ତି। ତାଙ୍କ ଜାମିନ ରଦ୍ଦ କରିଥିବା ପାଟନା ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି।
କ'ଣ ଥିଲା ପୂରା ମାମଲା?
ମାମଲାଟି ବିହାରର ସମସ୍ତିପୁର ସଦର ହସ୍ପିଟାଲର ପ୍ରଶାସକ ବିଶ୍ୱଜିତ ସିଂହଙ୍କ ସହ ଜଡ଼ିତ। ଜଣେ ଠିକା କର୍ମଚାରୀଙ୍କ ୩୬ ହଜାର ୪୨୧ ଟଙ୍କାର ବକେୟା ଦରମା ମଞ୍ଜୁର କରାଇଦେବା ପାଇଁ ସେ ୪ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ୨୦୨୫ ମସିହାରେ ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା।
ଗିରଫ ପରେ ନିମ୍ନ ଅଦାଲତ ତାଙ୍କୁ ଜାମିନ ଦେଇଥିଲେ। କିନ୍ତୁ ଅଭିଯୋଗକାରୀ ପାଟନା ହାଇକୋର୍ଟରେ ଏହି ଜାମିନକୁ ଚ୍ୟାଲେଞ୍ଜ କରିଥିଲେ। ଫଳରେ ହାଇକୋର୍ଟ ଜାମିନ ରଦ୍ଦ କରି ତାଙ୍କୁ ପୁଣି ହାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ବିଶ୍ୱଜିତ ସିଂହ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
୧୫ ଦିନ ହାଜତରେ ଥିଲେ ଅଭିଯୁକ୍ତ
ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଜାଣିବାକୁ ପାଇଥିଲେ ଯେ ଗିରଫ ପରେ ବିଶ୍ୱଜିତ ସିଂହ ପ୍ରାୟ ୧୫ ଦିନ ନ୍ୟାୟିକ ହାଜତରେ ରହିଥିଲେ। ଏହାକୁ ନେଇ ଖଣ୍ଡପୀଠ କହିଥିଲେ ଯେ, କୌଣସି ସରକାରୀ କର୍ମଚାରୀ ୪୮ ଘଣ୍ଟାରୁ ଅଧିକ ସମୟ ନ୍ୟାୟିକ ହାଜତରେ ରହିଲେ ଆଇନ ଅନୁସାରେ ସେ ସ୍ୱତଃ ନିଲମ୍ବିତ ହୋଇଥାନ୍ତି। ଏଥିପାଇଁ ପୃଥକ ଭାବେ କୌଣସି ନିଲମ୍ବନ ଆଦେଶର ଆବଶ୍ୟକତା ନାହିଁ।
ଅଦାଲତ ଆହୁରି ଜାଣିବାକୁ ପାଇଥିଲେ ଯେ, ଗିରଫ ପରେ ବିଶ୍ୱଜିତଙ୍କୁ ପ୍ରଥମେ ନିଲମ୍ବିତ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେହି ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରି ନିଆଯାଇଥିଲା। ଏହା ପରେ ତାଙ୍କୁ ପୁଣି ସେହି ସଦର ହସ୍ପିଟାଲରେ ପୂର୍ବ ପଦବୀରେ ନିଯୁକ୍ତି ଦିଆଯାଇଥିବା ଜାଣି ଖଣ୍ଡପୀଠ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଏହି ପ୍ରସଙ୍ଗକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଯାଞ୍ଚ କରି ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ କହିଛନ୍ତି।