ନୂଆଦିଲ୍ଲୀ: ଦୀପାବଳି ପରେ ଦିଲ୍ଲୀ ବାୟୁ ପ୍ରଦୂଷଣ ପୁଣି ଥରେ ବୃଦ୍ଧି ପାଇଛି । ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଫୁ କରି ରାତିଅଧ ଯାଏ ଫୁଟାଇଲେ ବାଣ । ଦିଲ୍ଲୀର ଆକାଶ ଏକ ଘନ ଧୂଆଁଳିଆ ଆସ୍ତରଣରେ ଘୋଡ଼ି ହୋଇଯାଇଥିବା ଦେଖିବାକୁ ମିଳିଛି । ସୋମବାର ସକାଳେ ଦିଲ୍ଲୀ-ଏନସିଆର ରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) 'ଅତ୍ୟନ୍ତ ଖରାପ' ବର୍ଗରେ ରହିଥିବା ରେକର୍ଡ କରାଯାଇଛି। ଏଥିସହିତ, ଆଜି ସକାଳେ ଘନ ଧୂଆଁ ଓ କୁହୁଡ଼ି ଯୋଗୁଁ ବିଭିନ୍ନ ଅଞ୍ଚଳରେ ଦୃଶ୍ୟମାନତା ବହୁତ କମିଯାଇଛି ।
ଦେଶର ରାଜଧାନୀ ଦିଲ୍ଲୀର ଅନେକ ଅଞ୍ଚଳରେ ଆଜି ସକାଳେ AQI ସ୍ତର ୪୦୦ ଅତିକ୍ରମ କରିଯାଇଥିଲା, ଯଦିଓ ହାରାହାରି AQI ସ୍ତର ୩୬୮ ରେକର୍ଡ କରାଯାଇଥିଲା। ଦୃଶ୍ୟମାନତା କମି ମାତ୍ର ୫୦ ମିଟରକୁ ଖସି ଆସିଥିଲା। ସକାଳ ୫:୩୦ ସମୟରେ ସଫଦରଜଙ୍ଗ ବିମାନବନ୍ଦରରେ ଦୃଶ୍ୟମାନତା ୫୦ ମିଟର ଏବଂ ଆଇଜିଆଇ ବିମାନବନ୍ଦରରେ ୩୫୦ ମିଟର ରେକର୍ଡ କରାଯାଇଥିଲା।
ଦୀପାବଳି ପାଳନ ପାଇଁ, ସୁପ୍ରିମକୋର୍ଟ ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳରେ କେବଳ ରାତି ୮:୦୦ ରୁ ୧୦:୦୦ ମଧ୍ୟରେ 'ଗ୍ରୀନ୍' (ପରିବେଶ ଅନୁକୂଳ) ବାଣ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ। ତଥାପି, ଲୋକମାନେ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିଲେ ଏବଂ ରାତି ବହୁ ସମୟ ପର୍ଯ୍ୟନ୍ତ ବାଣ ଫୁଟାଇ ଉତ୍ସବ ପାଳନ କରିଥିଲେ। ରାତିରେ ଦିଲ୍ଲୀବାସୀ ଦୀପାବଳି ପାଳନ କରିବା ସମୟରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ଦୁଇ ଘଣ୍ଟାର ସୀମା ଅତିକ୍ରମ କରି ବାଣ ଫୁଟାଇଥିଲେ। 'ଗ୍ରୀନ୍' ବାଣ ବ୍ୟବହାର କରିବାକୁ ନିର୍ଦ୍ଦେଶ ଥିବା ସତ୍ତ୍ୱେ, ପାରମ୍ପରିକ ବାଣର ବ୍ୟାପକ ବ୍ୟବହାର ମଧ୍ୟ ଦେଖିବାକୁ ମିଳିଥିଲା।