ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଦେଶର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଲାଲକୃଷ୍ଣ ଆଡଭାନୀ ନିଜ ଜୀବନର ୯୯ ବର୍ଷ ସମ୍ପୂର୍ଣ୍ଣ କରି ଶତାବ୍ଦୀ ବର୍ଷରେ ପଦାର୍ପଣ କରିଛନ୍ତି । ୧୯୨୭ ନଭେମ୍ବର ୮ରେ ଅବିଭକ୍ତ ଭାରତର କରାଚୀ (ବର୍ତ୍ତମାନ ପାକିସ୍ତାନ)ଠାରେ ଏକ ପବିତ୍ର ଦେବ ଦୀପାବଳି ତିଥିରେ ସେ ଜନ୍ମଗ୍ରହଣ କରିଥିଲେ ।
ସେ ବିଜେପିର ଜଣେ ପ୍ରତିଷ୍ଠାତା ସଦସ୍ୟ ଏବଂ ଦେଶର ୭ମ ଉପ-ପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଭାରତୀୟ ରାଜନୀତିରେ ବିଜେପିର ଉତ୍ଥାନ ପଛରେ ତାଙ୍କର ରାମ ଜନ୍ମଭୂମି ଆନ୍ଦୋଳନ ଓ ରଥଯାତ୍ରାର ଏକ ପ୍ରମୁଖ ଭୂମିକା ରହିଥିଲା।୩ଥର ସମ୍ଭାଳିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ । ଦେଶ ପ୍ରତି ତାଙ୍କର ଅତୁଳନୀୟ ସେବା ପାଇଁ ୨୦୨୪ ମସିହାରେ ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ କରାଯାଇଥିଲା ।
ଏହି ଅବସରରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି । ସେ ୨୦୨୭ ମସିହା ନଭେମ୍ବର ୮ ତାରିଖରେ ନିଜର ୧୦୦ ବର୍ଷ ପୂର୍ଣ୍ଣ କରିବେ ।
ଏହି ଶତାବ୍ଦୀ ଉତ୍ସବକୁ ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟରେ ଉତ୍ସାହର ସହ ପାଳନ କରାଯାଇଛି । ଏଥିରେ ପୂଜା-ହୋମ ସହ ତାଙ୍କ ଜୀବନୀ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ଭିଡିଓ ପ୍ରଦର୍ଶିତ ହୋଇଥିଲା ।