ଜମ୍ମୁ : ରବିବାର ସକାଳୁ ସକାଳୁ ଜାମ୍ମୁ-କାଶ୍ମୀରର ବାରାମୁଲା ଜିଲ୍ଲାରେ ଦୁଇ ଦୁଇଟି ମୃଦୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଆଜି ସକାଳେ ଅଳ୍ପ ସମୟ ବ୍ୟବଧାନରେ ଏହି କମ୍ପନ ରେକର୍ଡ କରାଯାଇଛି। ତେବେ ଏହି ଭୂକମ୍ପ ଯୋଗୁଁ କୌଣସି ଧନଜୀବନ ହାନି କିମ୍ବା କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ।
ପ୍ରଥମ ଝଟକା ରବିବାର ରାତି ପ୍ରାୟ ୨ଟା ୪୭ ମିନିଟରେ ଅନୁଭୁତ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୩.୧ ରେକର୍ଡ କରାଯାଇଥିଲା। ଏହାର କେନ୍ଦ୍ରସ୍ଥଳ ବାରାମୁଲାର ସାଙ୍ଗ୍ରାମ ପୋରା ନିକଟରେ ଏବଂ ଗଭୀରତା ପ୍ରାୟ ୫ କିଲୋମିଟର ଥିଲା।
ଏହାର କିଛି ସମୟ ପରେ ସକାଳ ୫ଟା ୨୩ ମିନିଟରେ ପୁଣି ଏକ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୩ ଥିବା ବେଳେ ଏହାର ଗଭୀରତା ପ୍ରାୟ ୨୦ କିଲୋମିଟର ରହିଥିଲା। ଏହି ଦ୍ୱିତୀୟ ଭୂକମ୍ପର କେନ୍ଦ୍ରସ୍ଥଳ ଗୁଲମାର୍ଗଠାରୁ ପ୍ରାୟ ୩୧ କିଲୋମିଟର ଦୂରରେ ଥିବା ଜଣାପଡ଼ିଛି।
ସକାଳୁ ସକାଳୁ ଏହି ଝଟକା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହୋଇଥିଲା। ଜାମ୍ମୁ-କାଶ୍ମୀରର କାଶ୍ମୀର ଉପତ୍ୟକା ଅଞ୍ଚଳ ଏକ ଅତ୍ୟନ୍ତ ସକ୍ରିୟ ଭୂକମ୍ପ ପ୍ରବଣ ବଳୟ ମଧ୍ୟରେ ଆସୁଥିବାରୁ ଏଠାରେ ପ୍ରାୟତଃ ମୃଦୁ କମ୍ପନ ଅନୁଭୂତ ହୋଇଥାଏ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି ଏବଂ ଜନସାଧାରଣଙ୍କୁ ଭୟଭୀତ ନହେବା ପାଇଁ ପରାମର୍ଶ ଦିଆଯାଇଛି।