ସିନେମା ହଲ୍ରେ ଦର୍ଶକଙ୍କ ଭିଡ଼, ବକ୍ସ ଅଫିସ୍ରେ ଟଙ୍କାର ବର୍ଷା। ରଣବୀର କପୁର ଓ ୟଶଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ: ପାର୍ଟ ୱାନ୍’ ଏବେ ବକ୍ସ ଅଫିସ୍ରେ ଧମାଲ୍ କରୁଛି। ମାତ୍ର ତିନି ଦିନରେ ବିଶ୍ୱବ୍ୟାପୀ ୩୭୫.୫୦ କୋଟି ଟଙ୍କାର କଲେକ୍ସନ୍ କରି ଫିଲ୍ମ ୩୫୦ କୋଟିର ମାଇଲଖୁଣ୍ଟ ଅତିକ୍ରମ କରିଛି।
ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ନଭେମ୍ବର ୫ରେ ପରଦାକୁ ଆସିଥିଲା। ପ୍ରଥମ ଦିନରୁ ହିଁ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ ଦେଖିବାକୁ ମିଳିଛି।
ତୃତୀୟ ଦିନରେ ଜବରଦସ୍ତ କମ୍ବ୍ୟାକ୍
ଭାରତୀୟ ବକ୍ସ ଅଫିସ୍ରେ ପ୍ରଥମ ଦିନରେ ୬୪.୮୫ କୋଟି ଟଙ୍କା ନେଟ୍ କଲେକ୍ସନ୍ କରିଥିଲା ଫିଲ୍ମ। ଦ୍ୱିତୀୟ ଦିନରେ ଆୟ ୪୮.୦୫ କୋଟିକୁ ଖସିଥିଲେ ମଧ୍ୟ ତୃତୀୟ ଦିନରେ ଜବରଦସ୍ତ ଉଛାଳ ଦେଖିବାକୁ ମିଳିଛି। ଶନିବାର ଫିଲ୍ମ ୬୯.୮୦ କୋଟି ଟଙ୍କା ନେଟ୍ ଆୟ କରିଛି। ଶୁକ୍ରବାର ତୁଳନାରେ କଲେକ୍ସନ୍ରେ ୪୫.୩ ପ୍ରତିଶତ ବୃଦ୍ଧି ହୋଇଛି। ଏହା ସହ ଭାରତରେ ତିନି ଦିନର ମୋଟ ନେଟ୍ କଲେକ୍ସନ୍ ୧୮୨.୭୦ କୋଟିରେ ପହଞ୍ଚିଛି।
ହିନ୍ଦୀ ଭର୍ସନ୍ର ଜଲୱା, ବିଦେଶରେ ବି ଧମାକା
ଭାଷା ଅନୁସାରେ ଦେଖିଲେ ହିନ୍ଦୀ ଭର୍ସନ୍ ଫିଲ୍ମକୁ ସବୁଠାରୁ ଅଧିକ ଆୟ ଦେଇଛି। ଶନିବାର କେବଳ ହିନ୍ଦୀ ଭର୍ସନ୍ରୁ ୫୩ କୋଟି ଟଙ୍କା ଆୟ ହୋଇଛି। ତିନି ଦିନରେ ହିନ୍ଦୀ ଭର୍ସନ୍ର ମୋଟ କଲେକ୍ସନ୍ ୧୩୬ କୋଟି ଟଙ୍କା ହୋଇଛି। ଅନ୍ୟ ଭାଷାଗୁଡ଼ିକରୁ ମଧ୍ୟ ଭଲ ଆୟ ହୋଇଛି।
ଅନ୍ୟପଟେ ବିଦେଶୀ ବଜାରରେ ମଧ୍ୟ ଫିଲ୍ମର ଦବଦବା ଜାରି ରହିଛି। ତୃତୀୟ ଦିନରେ ବିଦେଶରୁ ପ୍ରାୟ ୬୦ କୋଟି ଟଙ୍କା ଗ୍ରସ୍ ଆୟ ହୋଇଥିବା ବେଳେ ତିନି ଦିନର ମୋଟ ବିଦେଶୀ କଲେକ୍ସନ୍ ୧୫୭.୨୫ କୋଟି ଟଙ୍କାରେ ପହଞ୍ଚିଛି।
କିଏ କେଉଁ ଚରିତ୍ରରେ?
ଫିଲ୍ମରେ ରଣବୀର କପୁର ଶ୍ରୀରାମଙ୍କ ଭୂମିକାରେ ନଜର ଆସିଥିବା ବେଳେ ସାଇ ପଲ୍ଲବୀ ମାତା ସୀତା ଏବଂ ୟଶ ରାବଣ ଚରିତ୍ରରେ ଅଭିନୟ କରିଛନ୍ତି। ସେହିପରି ସନ୍ନି ଦେଓଲ ହନୁମାନ ଓ ରବି ଦୁବେ ଲକ୍ଷ୍ମଣଙ୍କ ଭୂମିକାରେ ଅଛନ୍ତି। ଏ.ଆର୍. ରହମାନ ଓ ହାନ୍ସ ଜିମର୍ ଫିଲ୍ମର ସଙ୍ଗୀତ ଦାୟିତ୍ୱ ସମ୍ଭାଳିଛନ୍ତି।
ତିନି ଦିନରେ ୩୭୫.୫୦ କୋଟିର ବିଶ୍ୱବ୍ୟାପୀ କଲେକ୍ସନ୍ ପରେ ଏବେ ସମସ୍ତଙ୍କ ନଜର ଆଗାମୀ ଦିନର ବକ୍ସ ଅଫିସ୍ ରିପୋର୍ଟ ଉପରେ। ଫିଲ୍ମ ଆଗକୁ ଆଉ କେତେ ରେକର୍ଡ ଭାଙ୍ଗିବ, ତାହା ଦେଖିବାକୁ ଦର୍ଶକଙ୍କ ଅପେକ୍ଷା। ୩ ଦିନରେ ୩୭୫.୫୦ କୋଟି ଆୟ କରିଥିବା ‘ରାମାୟଣ’ର ଏହି ଧମାକା ଆଗକୁ କେଉଁ ରେକର୍ଡ ଭାଙ୍ଗିବ ତାହା ଦେଖିବାକୁ ବାକି ରହିଲା।