ସାରା ଦେଶରେ ଆଜି ଧୁମ୍ଧାମରେ ପାଳନ ହେଉଛି ଆଲୋକର ମହାପର୍ବ ଦୀପାବଳି। ଘରଠାରୁ ମନ୍ଦିର ସବୁଠି ଦୀପ ଓ ଆଲୋକମାଳାରେ ଝଲସୁଛି ପରିବେଶ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶର ବହୁ ବରିଷ୍ଠ ରାଜନେତା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ଜରିଆରେ ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି।
ମୋଦୀଙ୍କ ଦୀପାବଳି ଶୁଭେଚ୍ଛା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ପୋଷ୍ଟ କରି ଦେଶବାସୀଙ୍କୁ ଦୀପାବଳିର ଅସୀମ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, “ଦେଶର ସମସ୍ତ ପରିବାରଜନଙ୍କୁ ଦୀପାବଳିର ଅସୀମ ଶୁଭେଚ୍ଛା।”
ଅଯୋଧ୍ୟାର ଦୀପୋତ୍ସବକୁ ନେଇ ନୀତିନ ନବୀନଙ୍କ ପୋଷ୍ଟ
ବିଜେପି ଅଧ୍ୟକ୍ଷ ନୀତିନ ନବୀନ ମଧ୍ୟ ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଅଯୋଧ୍ୟାର ଦୀପୋତ୍ସବକୁ ଭବ୍ୟ ଓ ଐତିହାସିକ ବୋଲି ବର୍ଣ୍ଣନା କରିଛନ୍ତି ସେ। ଶ୍ରୀରାମ ନିଜ ମନ୍ଦିରରେ ବିରାଜମାନ ହେବା ପରେ ଅଯୋଧ୍ୟାର ଦୀପାବଳି ଉତ୍ସବ ଆହୁରି ସ୍ୱତନ୍ତ୍ର ହୋଇଛି ବୋଲି ସେ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।
ଯୋଗୀ କହିଲେ, କୌଣସି ଅଗଣା ଅନ୍ଧକାରରେ ନରହୁ
ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ସତ୍ୟର ସାଧନା ଓ ସର୍ବମଙ୍ଗଳର ସନାତନ ଭାବନାର ଏହି ପବିତ୍ର ମହାପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣୁ।
ଶ୍ରୀରାମଙ୍କ ଅଯୋଧ୍ୟା ଆଗମନର ସ୍ମୃତିରେ ପାଳିତ ଏହି ପର୍ବ ଆମକୁ ସେବା, ସମରସତା ଓ ସଦ୍ଭାବନାର ପଥରେ ଆଗକୁ ବଢ଼ିବାକୁ ପ୍ରେରଣା ଦିଏ। କୌଣସି ଅଗଣା ଅନ୍ଧକାରରେ ନରହୁ ଏବଂ କୌଣସି ଜୀବନ ଆଶାରୁ ବଞ୍ଚିତ ନହେଉ ବୋଲି ସେ ନିଜ ବାର୍ତ୍ତାରେ କହିଛନ୍ତି।
ରାଷ୍ଟ୍ରପତିଙ୍କ ଶୁଭେଚ୍ଛା
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ପବିତ୍ର ଦୀପାବଳି ଅବସରରେ ଦେଶବାସୀଙ୍କୁ ଜଣାଇଛନ୍ତି ହାର୍ଦ୍ଦିକ ଶୁଭେଚ୍ଛା। ଏହି ଆଲୋକର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ନୂଆ ଆଶାର ଆଲୋକ ଭରିଦେଉ ବୋଲି ସେ କାମନା କରିଛନ୍ତି। ଦୀପାବଳିର ଆଲୋକ ଅନ୍ଧକାର ଦୂର କରି ସମସ୍ତଙ୍କ ଜୀବନକୁ ଆନନ୍ଦମୟ କରୁ ବୋଲି ଶୁଭବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି।
ଶଶି ଥରୁରଙ୍କ ଶୁଭେଚ୍ଛା
ସେହିପରି କଂଗ୍ରେସର ବରିଷ୍ଠ ନେତା ତଥା କେରଳର ସାଂସଦ ଶଶି ଥରୁର ମଧ୍ୟ ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ ନିଜର ଏକ ଫଟୋ ସେୟାର କରି ‘ହାପି ଦୀପାବଳି’ ବୋଲି ଲେଖିଛନ୍ତି।
ଦୀପାବଳିର ଏହି ପବିତ୍ର ଅବସରରେ ରାଜନୈତିକ ମତଭେଦକୁ ଭୁଲି ଦେଶର ନେତାମାନେ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି। ଆଲୋକ, ଆନନ୍ଦ ଓ ଭାଇଚାରାର ଏହି ପର୍ବ ସମସ୍ତଙ୍କ ଜୀବନରେ ନୂଆ ଆଶା ଓ ଖୁସି ଭରିଦେଉ, ଏହା ହିଁ ସମସ୍ତଙ୍କ କାମନା।