ବରିଷ୍ଠ ବିଜେପି ନେତା ତଥା ଭାରତ ରତ୍ନ ଲାଲକୃଷ୍ଣ ଆଡଭାନୀଙ୍କ ୯୯ତମ ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ଆଡଭାନୀଙ୍କ ଜୀବନ ଓ ରାଜନୈତିକ ଯାତ୍ରାକୁ ନେଇ ଏକ ସ୍ୱତନ୍ତ୍ର ଲେଖା ଲେଖିଛନ୍ତି ମୋଦୀ।
ମୋଦୀ କହିଛନ୍ତି, ଆଡଭାନୀଙ୍କ ବିଚାରଧାରାର ସ୍ପଷ୍ଟତା ଓ ତୀକ୍ଷ୍ଣ ବୁଦ୍ଧି ତାଙ୍କୁ ଜଣେ ସ୍ୱତନ୍ତ୍ର ରାଜନେତା ଭାବେ ପରିଚିତ କରାଇଛି। ଆଧୁନିକ ଭାରତର ଅନେକ ଅଧ୍ୟାୟ ସହ ଜଡ଼ିତ ଥିବା ବ୍ୟକ୍ତିଙ୍କ ମଧ୍ୟରେ ଆଡଭାନୀ ଅନ୍ୟତମ।
୧୯୨୭ ନଭେମ୍ବର ୮ରେ ସିନ୍ଧ୍ରେ ଜନ୍ମଗ୍ରହଣ କରିଥିଲେ ଆଡଭାନୀ। ୧୯୪୭ରେ ଦେଶ ବିଭାଜନ ସମୟରେ ନିଜ ଜନ୍ମମାଟି ଛାଡ଼ିବାର ଯନ୍ତ୍ରଣା ଭୋଗିଥିଲେ। ତଥାପି ହାର ନମାନି ନୂଆ କରି ଜୀବନ ଆରମ୍ଭ କରିଥିଲେ। ଏହି ସଂଘର୍ଷ ଓ ଦୃଢ଼ ମନୋବଳ ତାଙ୍କ ରାଜନୈତିକ ଜୀବନରେ ମଧ୍ୟ ପ୍ରତିଫଳିତ ହୋଇଥିଲା ବୋଲି ମୋଦୀ ଲେଖିଛନ୍ତି।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS)ର ପ୍ରଚାରକ ଭାବେ ରାଜସ୍ଥାନରେ କାର୍ଯ୍ୟ କରିବା ପରେ ଦିଲ୍ଲୀ ଆସିଥିଲେ ଆଡଭାନୀ। ସେଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହ ମିଶି କାମ କରିଥିଲେ। ଉଭୟ ନେତା ଦୀର୍ଘ ବର୍ଷ ଧରି ପରସ୍ପର ସହଯୋଗରେ କାମ କରି ଭାରତୀୟ ରାଜନୀତିର ଦିଗ ବଦଳାଇଥିଲେ ବୋଲି ମୋଦୀ କହିଛନ୍ତି।
ବିଜେପିକୁ ମଜଭୁତ କରିବାରେ ଆଡଭାନୀଙ୍କ ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତାଙ୍କ ନେତୃତ୍ୱରେ ଦଳ ଜାତୀୟ ରାଜନୀତିରେ ନିଜର ସ୍ଥିତି ମଜଭୁତ କରିଥିଲା। ଦେଶ ପ୍ରଥମ ନୀତିକୁ ଆଧାର କରି ସେ ଅନେକ ପିଢ଼ିର କାର୍ଯ୍ୟକର୍ତ୍ତାଙ୍କୁ ଗଢ଼ିଥିଲେ। ଆଡଭାନୀଙ୍କ ଦୀର୍ଘ ରାଜନୈତିକ ଜୀବନ ଓ ଦେଶ ପ୍ରତି ଅବଦାନକୁ ମନେ ପକାଇ ତାଙ୍କ ଶତାୟୁ ଜୀବନ ପାଇଁ ଶୁଭକାମନା ଜଣାଇଛନ୍ତି ମୋଦୀ।