ମଧ୍ୟପ୍ରଦେଶର ସିଓନି ଜିଲ୍ଲା ଅନ୍ତର୍ଗତ ଛାପାରାର ମହାବୀର ୱାର୍ଡର ଜୈନ ମହଲ୍ଲାରେ ଥିବା ଜଣେ ସ୍ୱର୍ଣ୍ଣ ବ୍ୟବସାୟୀଙ୍କ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ପରିବାରର ୬ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଯାଇଛି । ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ।
ସୂଚନା ଅନୁଯାୟୀ, ଗତ ରାତିରେ ସମସ୍ତେ ଦୀପାବଳି ଉତ୍ସବ ପାଳନ କରି ଶୋଇଥିବାବେଳେ ସ୍ୱର୍ଣ୍ଣ ବ୍ୟବସାୟୀ କୁନ୍ଦନ ଲାଲ ସୋନିଙ୍କ ଘରେ ଭୋର ପ୍ରାୟ ୪ଟା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା । ସେତେବେଳେ ପୂରା ପରିବାର ଗଭୀର ନିଦରେ ଶୋଇଥିଲେ। କେହି କିଛି ବୁଝିବା ଏବଂ କରିବା ପୂର୍ବରୁ ମୁହୂର୍ତ୍ତକ ମଧ୍ୟରେ ନିଆଁ ଭୟଙ୍କର ରୂପ ନେଇଥିଲା ଏବଂ ସମଗ୍ର ଘରେ ଧୂଆଁ ଓ ନିଆଁ ବ୍ୟାପି ଯାଇଥିଲା। ଏହି ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ଏବଂ ସ୍ଥାନୀୟ ଲୋକମାନେ ତୁରନ୍ତ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ବାହିନୀ ଓ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘରଟି ବହୁତ ବଡ଼ ହୋଇଥିବାରୁ ନିଆଁକୁ ଆୟତ୍ତକୁ ଆଣିବାକୁ ସମୟ ଲାଗିଥିଲା । ତେବେ ୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ 6 ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମାତ୍ର ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ।
ଏସଡିଓପି ଅପୂର୍ବ ଭାଲାଭି କହିଛନ୍ତି ଯେ, ଜଣେ ସ୍ୱର୍ଣ୍ଣ ବ୍ୟବସାୟୀଙ୍କ ତିନି ମହଲା ବିଶିଷ୍ଟ ଘରେ ଲାଗିଥିବା ନିଆଁକୁ ଅଗ୍ନିଶମ ଓ ଉଦ୍ଧାରକାରୀ ଦଳ କଠିନ ପରିଶ୍ରମ କରି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିଛନ୍ତି। ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପୋଲିସ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।