ନୂଆଦିଲ୍ଲୀ: କାହିଁକି ପ୍ରଧାନମନ୍ତ୍ରୀ ହେବାକୁ ମନା କରିଥିଲେ ସୋନିଆ ଗାନ୍ଧୀ? ୨୦୦୪ରେ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ବିଜୟୀ ହେବା ପରେ କାହିଁକି ଦେଶର ସର୍ବୋଚ୍ଚ ରାଜନୈତିକ ପଦବୀକୁ ପ୍ରତ୍ୟାଖ୍ୟାନ କରିଥିଲେ ସେ? ଏହାର ରୋଚକ ଏବଂ ଭାବପ୍ରବଣ କାରଣ ସାମ୍ନାକୁ ଆଣିଛି ସୋନିଆ ଗାନ୍ଧୀଙ୍କ ନୂଆ ଆତ୍ମଜୀବନୀ ‘Belonging: A Journey of Love’।
ମଙ୍ଗଳବାରଠାରୁ ବଜାରକୁ ଆସିଛି ଏହି ପୁସ୍ତକ। କୌଣସି ଆନୁଷ୍ଠାନିକ ଉନ୍ମୋଚନ ଉତ୍ସବ ବିନା ଏହା ପାଠକଙ୍କ ପାଇଁ ଉପଲବ୍ଧ ହୋଇଛି। ଏହା କୌଣସି ରାଜନୈତିକ ସ୍ମୃତିଚାରଣ ନୁହେଁ, ବରଂ ତାଙ୍କ ଜୀବନ, ପରିବାର, ଭଲପାଇବା, ଦୁଃଖ ଓ ଭାରତ ସହ ତାଙ୍କ ସମ୍ପର୍କର ଏକ ବ୍ୟକ୍ତିଗତ କାହାଣୀ ବୋଲି କହିଛନ୍ତି ସୋନିଆ।
ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁନଥିଲେ ସୋନିଆ
ପୁସ୍ତକରେ ୨୦୦୪ ମସିହାର ଏକ ବଡ଼ ରାଜନୈତିକ ଘଟଣାକୁ ନେଇ ମନ ଖୋଲିଛନ୍ତି ସୋନିଆ। ଲୋକସଭା ନିର୍ବାଚନରେ କଂଗ୍ରେସ ମେଣ୍ଟର ବିଜୟ ପରେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାକୁ ତାଙ୍କ ଉପରେ ସହଯୋଗୀ ଦଳଗୁଡ଼ିକର ପ୍ରବଳ ଚାପ ରହିଥିଲା। ପ୍ରଥମରୁ ଏହି ପଦ ଗ୍ରହଣ କରିବାକୁ ଅନିଚ୍ଛୁକ ଥିଲେ ମଧ୍ୟ ମେଣ୍ଟ ସହଯୋଗୀଙ୍କ ଚାପରେ ସେ କିଛି ସମୟ ପାଇଁ ସମ୍ମତି ଦେଇଥିଲେ। ହେଲେ ଶେଷରେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଥିଲେ।
ରାହୁଲ-ପ୍ରିୟଙ୍କାଙ୍କ ଚିନ୍ତା ଥିଲା ବଡ଼ କାରଣ
ସୋନିଆଙ୍କ ଏହି ନିଷ୍ପତ୍ତି ପଛରେ ତାଙ୍କ ପିଲାମାନଙ୍କ ଭୟ ଓ ଚିନ୍ତା ଏକ ପ୍ରମୁଖ କାରଣ ଥିଲା। ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିଜ ମା’ଙ୍କୁ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁନଥିଲେ। କାରଣ, ସେମାନେ ନିଜ ଆଖି ଆଗରେ ଜେଜେମା' ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଏବଂ ବାପା ରାଜୀବ ଗାନ୍ଧୀଙ୍କ ବୋମା ବିସ୍ଫୋରଣରେ ମୃତ୍ୟୁର ଦୁଃଖଦ ଘଟଣା ଦେଖିଥିଲେ। ଏଭଳି ସ୍ଥିତିରେ ଦେଶର ସର୍ବୋଚ୍ଚ ପଦବୀରେ ବସିଲେ ମା’ଙ୍କ ଜୀବନ ପ୍ରତି ବିପଦ ବଢ଼ିପାରେ ବୋଲି ଦୁହେଁ ଭୟ କରୁଥିଲେ।
ବ୍ୟକ୍ତିଗତ ଜୀବନର ଅକୁହା କାହାଣୀ
ସୋନିଆ କହିଛନ୍ତି, ତାଙ୍କ ଜୀବନର ଅନେକ ବ୍ୟକ୍ତିଗତ ଅନୁଭୂତି ଓ ଭାବନାକୁ ସେ ସବୁବେଳେ ନିଜ ଭିତରେ ରଖିଛନ୍ତି। ପରିବାରର ଦୁଃଖଦ ଘଟଣା ତାଙ୍କୁ ରାଜନୀତିକୁ ଟାଣି ଆଣିଥିଲେ ମଧ୍ୟ ସେ ନିଜ ବ୍ୟକ୍ତିଗତ ଜୀବନକୁ ସର୍ବଦା ରାଜନୀତିଠାରୁ ଅଲଗା ରଖିବାକୁ ଚେଷ୍ଟା କରିଛନ୍ତି।
ନିଜ ଜୀବନ ବିଷୟରେ ଖୋଲାଖୋଲି ଲେଖିବା ତାଙ୍କ ପାଇଁ ସହଜ ନଥିଲା। ତାଙ୍କ ପରିବାରକୁ ନେଇ ଅନେକ ଲେଖା ହୋଇଥିଲେ ମଧ୍ୟ ସେମାନେ ପ୍ରକୃତରେ କେମିତି ମଣିଷ ଥିଲେ, ତାହା ବୁଝିବାକୁ ଖୁବ୍ କମ୍ ଚେଷ୍ଟା ହୋଇଛି ବୋଲି ସେ ଲେଖିଛନ୍ତି।
ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଭାରତରେ ହୋଇଥିବା ପରିବର୍ତ୍ତନକୁ ମଧ୍ୟ ସେ ଏହି ପୁସ୍ତକରେ ସ୍ଥାନ ଦେଇଛନ୍ତି। ଆରମ୍ଭରେ ଦେଶର ପରିବର୍ତ୍ତନକୁ ଦୂରରୁ ଦେଖୁଥିବା ସୋନିଆ କିପରି ପରବର୍ତ୍ତୀ ସମୟରେ ଭାରତର ରାଜନୈତିକ ଓ ସାମାଜିକ କେନ୍ଦ୍ରବିନ୍ଦୁର ଅଂଶ ହୋଇଥିଲେ, ତାହାର ଅନୁଭୂତି ବଖାଣିଛନ୍ତି।
ଅଧିକ ପଢନ୍ତୁ: ‘ସାକ୍ଷାତ ସମୟରେ ଆଖି ମିଶାଇ କଥା ହୁଅନ୍ତି ନାହିଁ ମୋଦି’; ଆତ୍ମଜୀବନୀରେ ବଡ଼ ଖୁଲାସା କଲେ ସୋନିଆ ଗାନ୍ଧୀ
ଗତ ଅକ୍ଟୋବର ୨୪ରେ ସୋସିଆଲ ମିଡିଆରେ ଏକ ଭିଡିଓ ଜରିଆରେ ସୋନିଆ ଏହି ପୁସ୍ତକକୁ ନେଇ ଚର୍ଚ୍ଚା ହେବ ବୋଲି ସଙ୍କେତ ଦେଇଥିଲେ। ସେ କହିଥିଲେ, “ଦଶନ୍ଧି ଧରି ଲୋକେ ମୋ କାହାଣୀ କହିଆସୁଛନ୍ତି। ଏବେ ମୋ କାହାଣୀ କହିବାର ପାଳି ମୋର।” ପୁସ୍ତକ ଆସିଲେ କିଛି 'ତମାଶା' ହେବ ବୋଲି ମଧ୍ୟ ସେ ମଜାଳିଆ ଢଙ୍ଗରେ କହିଥିଲେ।
ଏହି ଆତ୍ମଜୀବନୀରେ ସୋନିଆ ଗାନ୍ଧୀଙ୍କ ଜୀବନର ଅନେକ ଅକୁହା ଅଧ୍ୟାୟ ସହ ପରିବାର, ପ୍ରେମ, ଶୋକ ଓ ଭାରତ ସହ ତାଙ୍କ ଦୀର୍ଘ ଯାତ୍ରାର ଭାବପ୍ରବଣ ଚିତ୍ର ଦେଖିବାକୁ ମିଳିବ।