ନୂଆଦିଲ୍ଲୀ: ଦୀର୍ଘ ୧୬ ବର୍ଷ ଧରି ଲୁଚାଇ ରଖିଥିଲେ ନିଜ ଜୀବନର ସବୁଠାରୁ ବଡ଼ ସଂଘର୍ଷ। ନିଜ ରୋଗ, ଯନ୍ତ୍ରଣା ଓ ମୃତ୍ୟୁଭୟ ବିଷୟରେ ଏବେ ମୁହଁ ଖୋଲିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ତାଙ୍କ ଆତ୍ମଜୀବନୀ ‘Belonging: A Journey of Love’ରେ ପ୍ରଥମ ଥର ପାଇଁ ୨୦୧୦ରେ ସ୍ତନ କର୍କଟ (ବ୍ରେଷ୍ଟ କ୍ୟାନସର) ରୋଗରେ ପୀଡ଼ିତ ହୋଇଥିବା କଥା ସାମ୍ନାକୁ ଆଣିଛନ୍ତି। ଏପରିକି ପରବର୍ତ୍ତୀ ସମୟରେ ଅଗ୍ନାଶୟ (ପାନକ୍ରିୟାସ୍)ରେ ମଧ୍ୟ ଟ୍ୟୁମର ଚିହ୍ନଟ ହୋଇଥିବା ନେଇ ସେ ଲେଖିଛନ୍ତି। ଏହି ଦୁଇଟି ରୋଗ ସହ ଲଢ଼ିବା ପାଇଁ ତାଙ୍କୁ ବିଦେଶରେ ଦୁଇଟି ବଡ଼ ଅସ୍ତ୍ରୋପଚାର କରାଇବାକୁ ପଡ଼ିଥିଲା।
୨୦୧୦ରେ ଚିହ୍ନଟ ହୋଇଥିଲା ବ୍ରେଷ୍ଟ କ୍ୟାନସର
ସୋନିଆଙ୍କ ଲେଖା ଅନୁସାରେ, ୨୦୧୦ରେ ତାଙ୍କ ଶରୀରରେ ପ୍ରଥମେ କର୍କଟ ରୋଗ ଚିହ୍ନଟ ହୋଇଥିଲା। ଏହି ଖବର ତାଙ୍କୁ ଭିତରୁ ଦୋହଲାଇ ଦେଇଥିଲା। ଡାକ୍ତରମାନେ ତାଙ୍କୁ ଏବଂ ତାଙ୍କ ପିଲାମାନଙ୍କୁ ତୁରନ୍ତ ଚିକିତ୍ସା ଆରମ୍ଭ କରିବାକୁ କହିଥିଲେ। ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲର ଡାକ୍ତରଙ୍କ ଉପରେ ତାଙ୍କର ପୂର୍ଣ୍ଣ ଭରସା ଥିଲେ ମଧ୍ୟ ଭାରତରେ ଅସ୍ତ୍ରୋପଚାର କଲେ ଗଣମାଧ୍ୟମରେ ଅତ୍ୟଧିକ ଚର୍ଚ୍ଚା ହେବାର ଆଶଙ୍କା ତାଙ୍କୁ ଚିନ୍ତିତ କରିଥିଲା।
ଏହି କାରଣରୁ ସେ ବିଦେଶରେ ଚିକିତ୍ସା କରାଇବାକୁ ନିଷ୍ପତ୍ତି ନେଇଥିଲେ। ଇଟାଲୀର ମିଲାନ ସହରରେ ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଭେରୋନେସି ତାଙ୍କର ପ୍ରଥମ ଅସ୍ତ୍ରୋପଚାର କରିଥିଲେ। ଅପରେସନ ପରେ ଡାକ୍ତର ତାଙ୍କୁ ସବୁକିଛି ଠିକ୍ ଥିବା ଏବଂ ଶରୀରରେ କୌଣସି ରୋଗାକ୍ରାନ୍ତ ଅଂଶ ବାକି ନଥିବା କହିଥିଲେ। ଦୁଇଟି ଟ୍ୟୁମର ବାହାର କରାଯିବା ସହ ରେଡିଏସନ୍ ଚିକିତ୍ସାର ଏକ ବିଶେଷ ପଦ୍ଧତି ମଧ୍ୟ ଅବଲମ୍ବନ କରାଯାଇଥିଲା। ଫଳରେ ତାଙ୍କୁ ପାଞ୍ଚ ସପ୍ତାହର ରେଡିଓଥେରାପିରୁ ମୁକ୍ତି ମିଳିଥିଲା।
ବର୍ଷକ ପରେ ପୁଣି ବଢ଼ିଲା ଚିନ୍ତା, ପାନକ୍ରିୟାସ୍ରେ ଟ୍ୟୁମର
ପ୍ରଥମ ଅସ୍ତ୍ରୋପଚାରର ମାତ୍ର ଗୋଟିଏ ବର୍ଷ ପରେ, ଅର୍ଥାତ୍ ୨୦୧୧ରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ତାଙ୍କ ଅଗ୍ନାଶୟରେ ଏକ ଟ୍ୟୁମର ଚିହ୍ନଟ ହୋଇଥିଲା। ଏହି ଖବର ତାଙ୍କ ସହ ପରିବାରକୁ ମଧ୍ୟ ଚିନ୍ତାରେ ପକାଇ ଦେଇଥିଲା। ପୂର୍ବରୁ ହୋଇଥିବା କର୍କଟ ରୋଗ ପୁଣି ଫେରିଆସିଛି କି ବୋଲି ସୋନିଆ ଓ ତାଙ୍କ ପିଲାମାନେ ଭୟ କରିଥିଲେ।
ଏକାଧିକ ଡାକ୍ତରଙ୍କ ସହ ପରାମର୍ଶ ପରେ ତୁରନ୍ତ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ମିଳିଥିଲା। ଅପରେସନ ପୂର୍ବରୁ ରୋଗର ପ୍ରକୃତ ସ୍ଥିତି ଜଣାପଡ଼ିବ ନାହିଁ ବୋଲି ଡାକ୍ତରମାନେ କହିଥିଲେ। ଏହା ସୋନିଆଙ୍କ ମନରେ ମୃତ୍ୟୁଭୟ ସୃଷ୍ଟି କରିଥିଲା। ରୋଗ ଯଦି ଶରୀରର ଅନ୍ୟ ଅଂଶକୁ ବ୍ୟାପିଥାଏ, ତେବେ ସେ ବଞ୍ଚିପାରିବେ କି ନାହିଁ ବୋଲି ଚିନ୍ତା କରୁଥିଲେ।
ନେଦରଲ୍ୟାଣ୍ଡରେ ହେଲା ଦ୍ୱିତୀୟ ଅସ୍ତ୍ରୋପଚାର
ଏହାପରେ ନେଦରଲ୍ୟାଣ୍ଡର ରୋଟରଡାମ୍ରେ ଡାକ୍ତର କାସ୍ପର ଭାନ୍ ଏଜ୍କଙ୍କ ତତ୍ତ୍ୱାବଧାନରେ ତାଙ୍କର ଦ୍ୱିତୀୟ ଅସ୍ତ୍ରୋପଚାର ହୋଇଥିଲା। ଅପରେସନ ପରେ ଡାକ୍ତର ତାଙ୍କୁ ଆଶ୍ୱସ୍ତ କରିଥିଲେ ଯେ, ଟ୍ୟୁମରଟି ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ ହୋଇଥିବାରୁ ସେ ଭାଗ୍ୟବାନ। ଏହା ଶୀଘ୍ର ଧରାପଡ଼ିବା ତାଙ୍କ ପାଇଁ ବଡ଼ ଆଶ୍ୱସ୍ତି ଥିଲା।
ଏହି ଅସ୍ତ୍ରୋପଚାର ପରେ ସୋନିଆଙ୍କୁ ହସ୍ପିଟାଲରେ ଚାରି ସପ୍ତାହ ରହିବାକୁ ପଡ଼ିଥିଲା। ଏହି କଠିନ ସମୟରେ ତାଙ୍କ ଝିଅ ପ୍ରିୟଙ୍କା ଅଧିକାଂଶ ସମୟ ତାଙ୍କ ପାଖରେ ରହିଥିଲେ। ଦୀର୍ଘ ଅସ୍ତ୍ରୋପଚାର ପରେ ସେ ଶାରୀରିକ ଭାବେ ଦୁର୍ବଳ ହୋଇପଡ଼ିଥିଲେ ମଧ୍ୟ ଦୁଇଥର ଯାକ କେମୋଥେରାପି ନେବାକୁ ପଡ଼ିନଥିବାରୁ ନିଜକୁ ଭାଗ୍ୟବାନ ମନେ କରିଥିଲେ।
ଅଧିକ ପଢନ୍ତୁ- ପ୍ରଧାନମନ୍ତ୍ରୀ ଚୌକି ଛାଡ଼ିବା ପଛରେ କ’ଣ ଥିଲା କାରଣ? ସୋନିଆଙ୍କ ବହିରେ ଭାବପ୍ରବଣ ଖୁଲାସା
‘ମୁଁ କ'ଣ ନିଜ ପାଇଁ ଟିକିଏ ଗୋପନୀୟତା ପାଇପାରିବିନି?’
ନିଜ ରୋଗ ବିଷୟରେ ଲେଖିବା ସମୟରେ ସୋନିଆ ଗାନ୍ଧୀ ବ୍ୟକ୍ତିଗତ ଗୋପନୀୟତାର ଅଧିକାରକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଜଣେ ସାର୍ବଜନୀନ ବ୍ୟକ୍ତିତ୍ୱ ହୋଇଥିଲେ ମଧ୍ୟ ତାଙ୍କର ବ୍ୟକ୍ତିଗତ ଜୀବନ ଓ ସ୍ୱାସ୍ଥ୍ୟକୁ ଗୋପନ ରଖିବାର ଅଧିକାର ରହିଛି ବୋଲି ସେ ମତ ଦେଇଛନ୍ତି।
ଏହି ଆତ୍ମଜୀବନୀରେ ସୋନିଆଙ୍କ ରାଜନୈତିକ ଜୀବନ ସହ ତାଙ୍କର ବ୍ୟକ୍ତିଗତ ସଂଘର୍ଷର ଏକ ଅଜଣା ଅଧ୍ୟାୟ ସାମ୍ନାକୁ ଆସିଛି। ଦୀର୍ଘ ବର୍ଷ ଧରି ଗୋପନ ରହିଥିବା ଏହି ସ୍ୱାସ୍ଥ୍ୟ ସମ୍ପର୍କିତ ଖୁଲାସା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।