ନୂଆଦିଲ୍ଲୀ: ଶେଷ ବଲ୍ରେ ବିଜୟ ପାଇଁ ଦରକାର ଥିଲା ୩ ରନ୍। ହାତରେ ଥିଲା ମାତ୍ର ଗୋଟିଏ ୱିକେଟ୍। ଷ୍ଟାଡିୟମ୍ରେ ବଢ଼ୁଥିଲା ଉତ୍କଣ୍ଠା। ଏଭଳି ନାଟକୀୟ ପରିସ୍ଥିତିରେ ଶେଷ ବଲ୍କୁ ସୀମାରେଖା ପାର୍ କରାଇ ଭାରତକୁ ଚାମ୍ପିୟନ କରିଛନ୍ତି ମୋହିତ ଉଲୱା। U-19 ଏସିଆ କପ୍ ୨୦୨୬ ଫାଇନାଲରେ ପାକିସ୍ତାନକୁ ଗୋଟିଏ ୱିକେଟ୍ରେ ହରାଇ ଟାଇଟଲ୍ ଜିତିଛି ଟିମ୍ ଇଣ୍ଡିଆ। ମ୍ୟାଚ୍ର ଶେଷ ତିନି ଓଭରରେ ଯେଉଁଭଳି ଭାବେ ପଲ୍ଲା ବଦଳିଥିଲା, ତାହା କୌଣସି ସିନେମାର କାହାଣୀଠାରୁ କମ୍ ନଥିଲା।
୩୩୮ ରନ୍ର ବିଶାଳ ଲକ୍ଷ୍ୟ ପିଛା କରୁଥିବା ଭାରତ ଏକ ସମୟରେ ପରାଜୟ ଦ୍ୱାରଦେଶରେ ପହଞ୍ଚିଯାଇଥିଲା। ତେବେ ମୋହିତ ଉଲୱା ଓ ମନଲ ଚୌହାନଙ୍କ ଲଢ଼ୁଆ ବ୍ୟାଟିଂ ମ୍ୟାଚ୍ର ଚିତ୍ର ବଦଳାଇ ଦେଇଥିଲା। ଶେଷରେ ମୋହିତଙ୍କ ଅପରାଜିତ ୪୯ ରନ୍ର ଇନିଂସ ଭାରତକୁ ଐତିହାସିକ ବିଜୟ ଦେଇଥିଲା।
୪୮ତମ ଓଭରରେ ମନଲଙ୍କ ୱିକେଟ୍
୪୭ ଓଭର ଶେଷ ସୁଦ୍ଧା ଭାରତର ସ୍କୋର ୩୦୮/୮ ରହିଥିଲା। ଅର୍ଥାତ୍ ଶେଷ ୧୮ଟି ବଲ୍ରୁ ବିଜୟ ପାଇଁ ୩୦ ରନ୍ ଆବଶ୍ୟକ ଥିଲା। ମନଲ ଚୌହାନ ଓ ମୋହିତ ଉଲୱାଙ୍କ ଯୋଡ଼ି ଦଳକୁ ଆଶା ଦେଇଥିଲା। କିନ୍ତୁ ୪୮ତମ ଓଭରରେ ଏହି ଭାଗୀଦାରି ଭାଙ୍ଗିଯାଇଥିଲା।
ନିକାବ ଶଫିକ୍ ବୋଲିଂ କରିବାକୁ ଆସିଥିବା ବେଳେ ପ୍ରଥମ ବଲ୍ରେ ମୋହିତ ଗୋଟିଏ ରନ୍ ନେଇ ମନଲଙ୍କୁ ଷ୍ଟ୍ରାଇକ୍ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ବଲ୍ରେ ମନଲ କ୍ୟାଚ୍ ଆଉଟ୍ ହୋଇଥିଲେ। ସେ ୪୭ ରନ୍ କରି ଆଉଟ୍ ହେବା ସହ ଭାରତର ନବମ ୱିକେଟ୍ ଖସିଥିଲା।
ଏହି ସମୟରେ ଭାରତୀୟ ପ୍ରଶଂସକଙ୍କ ମନରେ ପୁଣି ପରାଜୟର ଭୟ ଦେଖାଦେଇଥିଲା। କାରଣ ହାତରେ ଆଉ ଗୋଟିଏ ୱିକେଟ୍ ଥିବା ବେଳେ ଜିତିବାକୁ ୨୯ ରନ୍ ବାକି ଥିଲା। ୧୧ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଚିଗୁରୁପତି ଗୋଟିଏ ଚୌକା ମାରିଥିଲେ। ଏହି ଓଭରରୁ ମୋଟ ୫ ରନ୍ ମିଳିଥିବା ବେଳେ ଭାରତର ସ୍କୋର ୩୧୩/୯ରେ ପହଞ୍ଚିଥିଲା।
୪୯ତମ ଓଭରରେ ମୋହିତଙ୍କ ଧମାକା
ଏବେ ମ୍ୟାଚ୍ରେ ବାକି ଥିଲା ମାତ୍ର ୧୨ଟି ବଲ୍। ଭାରତକୁ ଜିତିବା ପାଇଁ ଆବଶ୍ୟକ ଥିଲା ୨୫ ରନ୍। ପାକିସ୍ତାନ ପକ୍ଷରୁ ମହମ୍ମଦ ସାୟମ୍ ୪୯ତମ ଓଭର ବୋଲିଂ କରିଥିଲେ। ଏହି ଓଭରରେ ମୋହିତ ନିଜର ଆକ୍ରମଣାତ୍ମକ ରୂପ ଦେଖାଇଥିଲେ।
ସେ ଦୁଇଟି ଚୌକା ଓ ଗୋଟିଏ ବିଶାଳ ଛକା ମାରି ଭାରତର ଆଶାକୁ ପୁଣି ଉଜ୍ଜୀବିତ କରିଥିଲେ। ଏହି ଓଭରରୁ ମୋଟ ୧୭ ରନ୍ ଆସିଥିଲା। ଫଳରେ ଶେଷ ଓଭରରେ ଭାରତକୁ ଜିତିବା ପାଇଁ ଆଉ ୮ ରନ୍ ଆବଶ୍ୟକ ହୋଇଥିଲା।
ଶେଷ ଓଭରରେ ସଂଘର୍ଷ
ପାକିସ୍ତାନର ଅହମଦ ହୁସେନ୍ ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ। ତାଙ୍କ ଉପରେ ଥିଲା ୮ ରନ୍ ବଞ୍ଚାଇବାର ଚାପ। ପ୍ରଥମ ବଲ୍ରେ କୌଣସି ରନ୍ ମିଳିନଥିଲା। ଦ୍ୱିତୀୟ ବଲ୍ଟି ୱାଇଡ୍ ହୋଇଥିଲା। ପରେ ମୋହିତ ଗୋଟିଏ ରନ୍ ନେଇଥିଲେ।
ଏହାପରେ ଚିଗୁରୁପତି ମଧ୍ୟ ଗୋଟିଏ ରନ୍ ନେଇ ମୋହିତଙ୍କୁ ପୁଣି ଷ୍ଟ୍ରାଇକ୍ ଦେଇଥିଲେ। ଚତୁର୍ଥ ଓ ପଞ୍ଚମ ବଲ୍ରେ ମଧ୍ୟ ଗୋଟିଏ ଲେଖାଏଁ ରନ୍ ହୋଇଥିଲା। ଏବେ ଶେଷ ବଲ୍ରେ ଭାରତକୁ ବିଜୟ ପାଇଁ ୩ ରନ୍ ଦରକାର ଥିଲା। ମ୍ୟାଚ୍ ଟାଇ କରିବା ପାଇଁ ମଧ୍ୟ ଦୁଇ ରନ୍ ଆବଶ୍ୟକ ଥିଲା।
ସମସ୍ତଙ୍କ ନଜର ଥିଲା ମୋହିତଙ୍କ ଉପରେ। ସେ କୌଣସି ଭୁଲ୍ ନକରି ଶେଷ ବଲ୍କୁ ଚୌକା ମାରିଥିଲେ। ଏହା ସହ ଭାରତୀୟ ଶିବିରରେ ଖୁସିର ଲହରୀ ଖେଳିଯାଇଥିଲା। ଶେଷ ବଲ୍ରେ ଚୌକା ମାରି ମୋହିତ ଭାରତକୁ ଚାମ୍ପିୟନ କରିଥିଲେ।