ସମ୍ବଲପୁର: ପ୍ରକୃତିର ମନୋରମ ପରିବେଶ ସାଙ୍ଗକୁ ଆଧୁନିକ ଆତିଥ୍ୟ ଓ ରୋମାଞ୍ଚକର କ୍ରୀଡ଼ାର ଭରପୂର ମଜା। ପର୍ଯ୍ୟଟକଙ୍କୁ ଏଭଳି ନିଆରା ଅନୁଭୂତି ଦେବା ପାଇଁ ହୀରାକୁଦରେ ଆରମ୍ଭ ହୋଇଛି ଚଳିତ ବର୍ଷର ସପ୍ତମ ସଂସ୍କରଣ ‘ଇକୋ-ରିଟ୍ରିଟ୍’। ସୋମବାର ନଭେମ୍ବର ୧୬ ତାରିଖ ସକାଳ ୯ଟାରେ ବଲବସପୁର, ଜମାଦାରପାଲି ନିକଟସ୍ଥ ଏହି ପର୍ଯ୍ୟଟନ ପ୍ରକଳ୍ପକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଭାସୀ ମାଧ୍ୟମରେ ଶୁଭ ଉଦ୍ଘାଟନ କରିଛନ୍ତି। ଏଥିସହ ସାତକୋଶିଆ ଓ ଦାରିଙ୍ଗବାଡ଼ି ଇକୋ-ରିଟ୍ରିଟ୍ର ମଧ୍ୟ ଏକସଙ୍ଗେ ଶୁଭାରମ୍ଭ ହୋଇଛି।
୨୫ରୁ ୫୦କୁ ବଢ଼ିଲା ଟେଣ୍ଟ୍ ସଂଖ୍ୟା
ପର୍ଯ୍ୟଟକଙ୍କ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଏଥର ଇକୋ-ରିଟ୍ରିଟ୍ରେ ଟେଣ୍ଟ୍ ସଂଖ୍ୟା ୨୫ରୁ ବୃଦ୍ଧି କରାଯାଇ ୫୦ କରାଯାଇଛି। ଏଥିରେ ୨୦ଟି ପ୍ରିମିୟମ ଓ ୩୦ଟି ଡିଲକ୍ସ ଟେଣ୍ଟ୍ ରହିଛି। ସେହିପରି କାର୍ଯ୍ୟକ୍ରମର ଅବଧି ୯୦ ଦିନରୁ ବଢ଼ାଇ ୧୨୦ ଦିନ କରାଯାଇଛି। ଏହା ଆସନ୍ତା ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ଚାଲିବ। ଉଦ୍ଘାଟନ ପୂର୍ବରୁ ପ୍ରାୟ ୩୦୦ଟି ବୁକିଂ ହୋଇସାରିଥିବାରୁ ଏହା ପର୍ଯ୍ୟଟନ କ୍ଷେତ୍ର ପାଇଁ ଉତ୍ସାହଜନକ ବୋଲି ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି।
୭,୫୦୦ରୁ ଆରମ୍ଭ ଟେଣ୍ଟ୍ ଭଡ଼ା
ଚଳିତ ବର୍ଷ ଡିଲକ୍ସ ଟେଣ୍ଟ୍ର ମୂଲ୍ୟ ୭,୫୦୦ ଟଙ୍କା (୫ ପ୍ରତିଶତ ଜିଏସ୍ଟି ସହ) ରଖାଯାଇଥିବା ବେଳେ ପ୍ରିମିୟମ ଟେଣ୍ଟ୍ର ମୂଲ୍ୟ ୯,୫୦୦ ଟଙ୍କା (୧୮ ପ୍ରତିଶତ ଜିଏସ୍ଟି ସହ) ରହିଛି। ଏହି ପ୍ୟାକେଜ୍ରେ ଜଳଖିଆ, ମଧ୍ୟାହ୍ନ ଭୋଜନ, ହାଇ-ଟି ଓ ରାତ୍ରିଭୋଜନ ସାମିଲ କରାଯାଇଛି।
ରୋମାଞ୍ଚକର କ୍ରୀଡ଼ା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ
ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଏଥର ତୀରନ୍ଦାଜୀ, ରାଇଫଲ ସୁଟିଂ, ବ୍ୟାଡମିଣ୍ଟନ, ଭଲିବଲ, ସାଇକ୍ଲିଂ, ୱାଟର ସ୍ପୋର୍ଟସ୍ ଓ ଏଟିଭି ରାଇଡ୍ ଭଳି ଆକର୍ଷଣୀୟ ବ୍ୟବସ୍ଥା ରହିଛି। ଏଥିସହ ପ୍ରତି ସପ୍ତାହାନ୍ତରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯିବ।
ଦେବ୍ରିଗଡ଼ରୁ ସମଲେଶ୍ୱରୀ ମନ୍ଦିର, ମିଳିବ ଭ୍ରମଣ ସୁବିଧା
ଇକୋ-ରିଟ୍ରିଟ୍କୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଦେବ୍ରିଗଡ଼ ଅଭୟାରଣ୍ୟ, ହୀରାକୁଦ ଡ୍ୟାମ୍ ଓ ମା’ ସମଲେଶ୍ୱରୀ ମନ୍ଦିର ପରିଦର୍ଶନ ନିମନ୍ତେ ସ୍ୱତନ୍ତ୍ର ଗାଇଡ୍ ଓ ଗାଡ଼ିର ବ୍ୟବସ୍ଥା ରହିବ। ତେବେ ଏଥିପାଇଁ ପର୍ଯ୍ୟଟକଙ୍କୁ ଅତିରିକ୍ତ ଦେୟ ଦେବାକୁ ପଡ଼ିବ ବୋଲି ଇକୋ-ରିଟ୍ରିଟ୍ ସାଇଟ୍ ଇନଚାର୍ଜ ଏସ୍.ଡି. କର ସୂଚନା ଦେଇଛନ୍ତି।
ସ୍ଥାନୀୟ ଅର୍ଥନୀତିକୁ ମିଳିବ ନୂଆ ଗତି
ଇକୋ-ରିଟ୍ରିଟ୍ ଦ୍ୱାରା ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତିର ନୂଆ ସୁଯୋଗ ସୃଷ୍ଟି ହେବା ସହ ଅଞ୍ଚଳର ଜୀବିକା ଓ ଅର୍ଥନୀତି ସୁଦୃଢ଼ ହେବ ବୋଲି ଆରଡିସି ସଂଗ୍ରାମ କେଶରୀ ମହାପାତ୍ର ଆଶା ପ୍ରକାଶ କରିଛନ୍ତି। ଏଥିସହ ଉତ୍ତରାଞ୍ଚଳ ଡିଭିଜନର ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଓ ହୁମା ଭଳି ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀରେ ମଧ୍ୟ ଏଭଳି ପ୍ରକଳ୍ପ ଆରମ୍ଭ କରିବାକୁ ସରକାରଙ୍କ ନିକଟରେ ପ୍ରସ୍ତାବ ଦିଆଯାଇଥିବା ସେ କହିଛନ୍ତି।
ଉଦ୍ଘାଟନୀ ଉତ୍ସବରେ ବହୁ ବିଶିଷ୍ଟ ଅତିଥି
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ନାଉରୀ ନାଏକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମ୍ବଲପୁର ବିଧାୟକଙ୍କ ପ୍ରତିନିଧି ଶୁଭଶ୍ରୀ ମିଶ୍ର, ଏସ୍ପି ମୁକେଶ କୁମାର ଭାମୂ, ଏସ୍ଏମ୍ସି ଆୟୁକ୍ତ ରେହାନ ଖତ୍ରୀ, ଏଡିଏମ୍ ଅଶୋକ କୁମାର ଭୋଇ ଓ ଜିଲ୍ଲାପାଳ ଡା. ପୁଷ୍ପାଞ୍ଜଳି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ଅତିଥି ସମ୍ବଲପୁର ଜିଲ୍ଲାରେ ପର୍ଯ୍ୟଟନର ଅପାର ସମ୍ଭାବନା ଓ ଏହାର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରକୃତିର ଶାନ୍ତ ପରିବେଶ, ଆଧୁନିକ ରହଣି ବ୍ୟବସ୍ଥା ଓ ରୋମାଞ୍ଚକର ଅନୁଭୂତି ସହ ହୀରାକୁଦ ଇକୋ-ରିଟ୍ରିଟ୍ ଚଳିତ ବର୍ଷ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂଆ ଆକର୍ଷଣ ସାଜିବାକୁ ଯାଉଛି।