ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟୀକୁ ଶକ୍ତ ଝଟକା ଲାଗିଛି । ଦଳର ତୁଙ୍ଗ ନେତା ଆଜମ ଖାନ ପୁଣି ଥରେ ଜେଲ୍ ଯାଇଛନ୍ତି । ଆର୍ଥିକ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୪ ଦିନିଆ ରିମାଣ୍ଡ ଶେଷ ହେବା ପରେ ତାଙ୍କୁ ଆଜି ସିବିଆଇ ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଛି । ଏହା ପରେ କୋର୍ଟ ତାଙ୍କୁ ୧୦ ଦିନିଆ ନ୍ୟାୟିକ ହେପାଜତରେ ଡସନା ଜେଲକୁ ପଠାଇଦେଇଛନ୍ତି ।
ମହମ୍ମହ ଅଲୀ ଜୋହର ଟ୍ରଷ୍ଟ ଏବଂ ଜୋହର ବିଶ୍ୱ ବିଦ୍ୟାଳୟରେ ଆର୍ଥିକ ଅନିୟମିତତା ମାମଲାରେ ଇଡି ତଦନ୍ତ କରୁଛି । ଆଜି ଅପରାହ୍ନ ୪.୩୦ରେ ତାଙ୍କର ରିମାଣ୍ଡ ଅବଧି ଶେଷ ହେବା ପୂର୍ବରୁ ଇଡି ସିବିଆଇ କୋର୍ଟରେ ହାଜର କରିଥିଲା । ଏହା ପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହା ପରେ କୋର୍ଟ ତାଙ୍କୁ ୧୦ ଦିନ ଯାଏ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖାନ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ମନି ଲଣ୍ଡରିଂ ମାମଲା ଦାୟର କରିଛି। ଆଜମ ଖାନ ଏବଂ ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ ଉତ୍ତର ପ୍ରଦେଶ ପୋଲିସ ଦ୍ୱାରା ଦାୟର କରାଯାଇଥିବା ୫୮ ଟି ଏଫଆଇଆର ଆଧାରରେ ମାମଲା ଦାୟର କରାଯାଇଛି । ସରକାରୀ କାର୍ୟ୍ୟ ପାଇଁ ଉଦ୍ଦିଷ୍ଟ ପାଣ୍ଠି ଖାନଙ୍କ ଦ୍ୱାରା ପ୍ରୋତ୍ସାହିତ ରାମପୁରରେ ମହମ୍ମଦ ଅଲି ଜୌହର ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ବ୍ୟବହାର କରାଯାଇଥିଲା। ଆଜମ ଖାନ ନଗର ଉନ୍ନୟନ ମନ୍ତ୍ରୀ ଏବଂ ଉତ୍ତର ପ୍ରଦେଶ ଜଳ ନିଗମ ଦାୟିତ୍ୱରେ ଥିବାବେଳେ ପଦର ଅପବ୍ୟବହାର କରି ଆର୍ଥିକ ହେରଫେର କରିଥିଲେ । ରାମପୁର ଉନ୍ନୟନ କର୍ତ୍ତୃପକ୍ଷ ଜୁଲାଇରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ୩୮ ଟି କୋଠା ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅକ୍ଟୋବର ୩୧ ତାରିଖରେ ଉତ୍ତର ପ୍ରଦେଶର ରାମପୁର ଜେଲ୍ ବାହାରୁ ଆଜମ ଖାନଙ୍କୁ ଗିରଫ କରାଯାଇଥିଲା ।