ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି । ଦୀର୍ଘ ଦିନ ଧରି ସୁରକ୍ଷାବାହିନୀର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର କମାଣ୍ଡର ମହମ୍ମଦ ଲତିଫ୍ ଭଟ ସମେତ ୨ ଜଣ ନିପାତ ହୋଇଛନ୍ତି । ସୁରକ୍ଷାବଳ ଏନକାଉଣ୍ଟରେ ଲତିଫ୍ ଏବଂ ତାର ସହଯୋଗୀର ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । ତଥାପି ପୋଲିସ ପକ୍ଷରୁ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା କରାଯାଇଛି ।
ସିଆରପିଏଫ୍ ଏସଡିଜି ସନ୍ଦୀପ ଖିରୱାରଙ୍କ ସୂଚନା ମୁତାବକ, ଗତ ସପ୍ତାହରେ କୁଲଗାମରେ ସିଆରପିଏଫ୍ ଶିବିରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରଠାରୁ କୁଲଗାମକୁ ସମ୍ପୂର୍ଣ୍ଣ ଘେରା ବନ୍ଦୀ କରି ରଖାଯାଇଥିଲା । ଏସଏଜି ଏବଂ ଜମ୍ମୁ କାଶ୍ମୀର ପୋଲିସର ମିଳିତ ସହଯୋଗରେ ଏହି ସଫଳତା ମିଳିଛି ।
ଲତିଫ୍ କୁଲଗାମ ଜିଲ୍ଲାର ମୂଳ ବାସିନ୍ଦା ଅଟେ । ପାକିସ୍ତାନରୁ କାର୍ୟ୍ୟକାରୀ ହେଉଥିବା ଲସ୍କର-ଏ-ତୋଏବା ସଙ୍ଗଠନର ସେ ଜଣେ ସକ୍ରିୟ ସଦସ୍ୟ ଥିଲା । ଲତିଫ୍ ଏକାଧିକ ଆତଙ୍କୀ କାର୍ୟ୍ୟକଳାପରେ ସାମିଲ ଥିଲା । ଚଳିତ ବର୍ଷ ଜୁଲାଇ ୨୨ ତାରିଖରେ ଅନନ୍ତନାଗର ଲାଲ୍ ଚୌକରେ ହୋଇଥିବା ଜଣେ ପୋଲିସ କନଷ୍ଟେବଳ ହତ୍ୟା ଏବଂ ୩୧ ଜୁଲାଇରେ ଜଣେ ପ୍ରବାସୀ ଶ୍ରମିକଙ୍କ ହତ୍ୟା ମାମଲାରେ ସେ ଜଡ଼ିତ ଥିଲା ।
କୁଲଗାମ ଆକ୍ରମଣ
୧୧ ନଭେମ୍ବରରେ ନିକଟରେ କୁଲଗାମରେ ସିଆରପିଏଫ୍ ଶିବିର ଉପରକୁ ଆକ୍ରମଣ ହୋଇଥିଲା । ଜମ୍ମୁ କାଶ୍ମୀର ପୋଲିସ ଲତିଫ୍ ସମେତ ୪ ଜଣଙ୍କ ଫଟୋ ଏହା ପୂର୍ବରୁ ଜାରି କରି ତଲାସୀ ଅଭିଯାନ ଚଳାଇଥିଲା । ମହମ୍ମଦ ଲତୀଫ ଭଟ , ବିଲାଲ ଅହମଦ ମୀର, ମୋହମ୍ମଦ ଉମର ମୀର ଏବଂ ଆବିଦ କୟୁମ ଲୋନର ଫଟୋ ଜାରି କରି ପୁରସ୍କାର ରାଶି ଘୋଷଣା କରିଥିଲା । ଏମାନେ ଲସ୍କର-ଏ-ତୋଏବା ଆତଙ୍କୀ ସଂଗଠନର ଜଣେ ଜଣେ ସକ୍ରିୟ ସଦସ୍ୟ ଅଟନ୍ତି । ଏହା ପରେ ପରେ କୁଲଗାମ ଆକ୍ରମଣ ହୋଇଥିଲା । ପ୍ରାୟ ୧୫ ସେକେଣ୍ଡ ମଧ୍ୟରେ ୩୦ ରାଉଣ୍ଡ ଗୁଳି ଚାଳନା ହୋଇଥିଲା । ଏଥିରେ ୩ ଜଣ ସିଆରପିଏଫ୍ ଯବାନ ଗୁରୁତର ଆହତ ହୋଇଥିଲେ । ଏହା ପଛରେ ଲତିଫ୍ ଏବଂ ତାର ସହଯୋଗୀଙ୍କ ହାତ ଥିବା ଜଣାପଡ଼ିଥିଲା ।
୨ ଏସପିଓଙ୍କୁ ହତ୍ୟା
ଖାଲି ସେତିକି ନୁହେଁ କୁଲଗାମ ଆକ୍ରମଣ ପରେ ୨ ଜଣ ଏସପିଓ କର୍ମଚାରୀଙ୍କ ଗୁଳି କରି ହତ୍ୟା କରାଯାଇଥିଲା । ତା ପରଠାରୁ ତଲାସୀ ଅଭିଯାନକୁ ଜୋରଦାର କରାଯାଇଥିଲା ।