ସାରା ଦେଶରେ ଜନଗଣନା ଚାଲିଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ସୃଷ୍ଟି ହୋଇଛି ଏକ ବଡ଼ ଚ୍ୟାଲେଞ୍ଜ। ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହ ୪୮୩୩ ଜଣ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ପ୍ରଶିକ୍ଷଣ ଶିବିର ମାଧ୍ୟମରେ ସମସ୍ତଙ୍କୁ ସଜାଗ କରାଯାଇଥିଲେ ମଧ୍ୟ ଭୂମିସ୍ତରର ଚିତ୍ର ଅନ୍ୟ କିଛି କହୁଛି।
ମୁରିବାହାଲ ବ୍ଲକର ପତ୍ରାପାଲି, ଲରିପଡ଼ା, ଜାମପଡ଼ା, ଦେବାଙ୍ଗ ଓ ଡଙ୍ଗରପଡ଼ା ଭଳି ଅନେକ ଗାଁରେ ଏବେ ନିରବତା ରାଜ କରୁଛି। ଧାଡ଼ି ଧାଡ଼ି ଘର ଥିଲେ ମଧ୍ୟ ପ୍ରତ୍ୟେକ କବାଟରେ ତାଲା ଝୁଲୁଛି। ଜୀବିକା ସନ୍ଧାନରେ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ରାଜ୍ୟ ବାହାରେ ଦାଦନ ଖଟିବାକୁ ଯାଇଥିବାରୁ ଗାଁଗୁଡ଼ିକ ପ୍ରାୟ ଜନଶୂନ୍ୟ ହୋଇପଡ଼ିଛି।
ଏପରି ପରିସ୍ଥିତିରେ ଗଣନାକାରୀମାନେ ଘରେ ଘରେ ବୁଲିଲେ ମଧ୍ୟ ସେମାନଙ୍କୁ ସ୍ୱାଗତ କରୁଛି କେବଳ ବନ୍ଦ ଦ୍ୱାର। ଘରର ମୁଖ୍ୟ ସଦସ୍ୟମାନେ ବାହାରେ ଥିବାରୁ ଠିକ୍ ତଥ୍ୟ ମିଳୁନାହିଁ। ଘରେ ରହୁଥିବା ବୃଦ୍ଧବୃଦ୍ଧାମାନେ ପରିବାରର ସମ୍ପୂର୍ଣ୍ଣ ବିବରଣୀ ଦେଇପାରୁନାହାନ୍ତି, ଯାହାରେ ଫର୍ମ ପୂରଣ କରିବା କଠିନ ହୋଇପଡ଼ିଛି।
ପ୍ରଶାସନ ପକ୍ଷରୁ ପାଣି, ଆଲୋକ, ଶୌଚାଳୟ, ଶିକ୍ଷା ଭଳି ୩୩ଟି ମୁଖ୍ୟ ପ୍ରଶ୍ନର ତଥ୍ୟ ସଂଗ୍ରହ କରାଯାଉଥିବା ବେଳେ ଦାଦନ ପ୍ରବଣ ଅଞ୍ଚଳରେ ଏହା ଏକ ବଡ଼ ସମସ୍ୟା ହୋଇଉଠିଛି। କେତେକ ସ୍ଥାନରେ ପଡ଼ୋଶୀଙ୍କଠାରୁ ମିଳୁଥିବା ଅଧୂରା ତଥ୍ୟକୁ ଲିପିବଦ୍ଧ କରାଯାଉଛି, ଯେତେବେଳେ କିଛି ଘରକୁ ‘ବନ୍ଦ ଘର’ ଭାବେ ଚିହ୍ନଟ କରାଯାଉଛି।
ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେତେବେଳେ ଗାଁରେ ଲୋକ ନାହାନ୍ତି, ସେତେବେଳେ ଜନଗଣନା କେତେ ସଠିକ୍ ହେବ? ଗ୍ରାମୀଣ ଓଡ଼ିଶାର ଏହି କଠୋର ସତ୍ୟ ଏବେ ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି।