ନୂଆଦିଲ୍ଲୀ: ଜୀବନରେ ସଫଳତା ପାଇବାକୁ ଟଙ୍କା କିମ୍ବା ବଡ଼ ସ୍କୁଲର ଶିକ୍ଷା ନୁହେଁ, ଦରକାର ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ। ଏହାର ଜୀବନ୍ତ ଉଦାହରଣ ହେଉଛନ୍ତି ଦିଲ୍ଲୀର ୨୪ ବର୍ଷୀୟ ଗିରିଶ ଶର୍ମା। ଯିଏ ଦିନେ ଜୋମାଟୋ ଡେଲିଭରି ବୟ ଭାବେ ଘରେ ଘରେ ଖାଦ୍ୟ ପହଞ୍ଚାଉଥିଲେ, ସେ ଆଜି ଦେଶର ଅନ୍ୟତମ ଶ୍ରେଷ୍ଠ ବି-ସ୍କୁଲ ‘FMS ଦିଲ୍ଲୀ’ରେ MBA ପଢ଼ିବାକୁ ମନୋନୀତ ହୋଇଛନ୍ତି।
ଦିଲ୍ଲୀର ଏକ ସାଧାରଣ ପରିବାରରେ ଜନ୍ମ ନେଇଥିବା ଗିରିଶ ଛୋଟବେଳୁ ନିଜ ପରିବାରର ଆର୍ଥିକ ସ୍ଥିତି ବଦଳାଇବାର ସ୍ୱପ୍ନ ଦେଖୁଥିଲେ। ସରକାରୀ ସ୍କୁଲରେ ପଢ଼ୁଥିବା ବେଳେ ସେ ଦଶମ ଶ୍ରେଣୀରୁ ଛୋଟ ପିଲାଙ୍କୁ ଟ୍ୟୁସନ୍ ପଢ଼ାଇବା ଆରମ୍ଭ କରିଥିଲେ। ପରେ ନିଜ ଖର୍ଚ୍ଚ ଚଳାଇବା ପାଇଁ ପୁରୁଣା ବହି ବିକ୍ରି କରିଥିଲେ ଏବଂ ବିଭିନ୍ନ କାମ ମଧ୍ୟ କରିଥିଲେ।
୨୦୨୦ ମସିହାରେ ସେ ଜୋମାଟୋରେ ଡେଲିଭରି ବଏ ଭାବେ ଯୋଗ ଦେଇଥିଲେ। ଦିନରେ କାମ ଓ ରାତିରେ ପଢ଼ା..ଏଭଳି ସଂଘର୍ଷ ମଧ୍ୟରେ ସେ ନିଜ ସ୍ୱପ୍ନକୁ ବଞ୍ଚାଇ ରଖିଥିଲେ। ୨୦୨୩ରେ IGNOU ମାଧ୍ୟମରେ ଗ୍ରାଜୁଏସନ୍ ସମାପ୍ତ କରିଥିଲେ।
କରୋନା ସମୟରେ ଚାକିରିରେ ବାଧା ଆସିଥିଲେ ମଧ୍ୟ ଗିରିଶ ହାର ମାନିନଥିଲେ। ତାଙ୍କ ମନରେ ଥିଲା ଏକ ବଡ଼ ସ୍ୱପ୍ନ ଥିଲା ଦେଶର ଶ୍ରେଷ୍ଠ ମ୍ୟାନେଜମେଣ୍ଟ କଲେଜରୁ MBA କରିବା। ମହଙ୍ଗା କୋଚିଂ ନେବାକୁ ସାମର୍ଥ୍ୟ ନଥିବାରୁ ସେ ଇଣ୍ଟରନେଟରେ ମିଳୁଥିବା ମାଗଣା ଅଧ୍ୟୟନ ସାମଗ୍ରୀର ସହାୟତାରେ CAT ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ।
ପ୍ରଥମ ପ୍ରୟାସରେ ୯୮.୯୪ ପର୍ସେଣ୍ଟାଇଲ୍ ହାସଲ କରିଥିଲେ ସତ, କିନ୍ତୁ ଟପ୍ କଲେଜରେ ଆଡମିଶନ୍ ମିଳିନଥିଲା। ତଥାପି ସେ ନିରାଶ ହୋଇନଥିଲେ। ହାଇଦ୍ରାବାଦରେ ଚାକିରି କରିବା ସହ ରାତି ରାତି ପଢ଼ିବା ଜାରି ରଖିଥିଲେ। ନିଜର ଇଂରାଜୀ ଓ କମ୍ୟୁନିକେସନ୍ ସ୍କିଲ୍କୁ ମଧ୍ୟ ଉନ୍ନତ କରିଥିଲେ।
ଶେଷରେ ୨୦୨୫ରେ ପୁଣି CAT ପରୀକ୍ଷା ଦେଇ ୯୮ % ସ୍କୋର କରିଥିଲେ। ଏଥର ତାଙ୍କ ଆତ୍ମବିଶ୍ୱାସ ଓ ସଂଘର୍ଷର କାହାଣୀ ଇଣ୍ଟରଭ୍ୟୁ ବୋର୍ଡକୁ ପ୍ରଭାବିତ କରିଥିଲା। ଫଳସ୍ୱରୂପ, ଗିରିଶଙ୍କୁ FMS ଦିଲ୍ଲୀରେ MBA ପାଇଁ ଚୟନ କରାଯାଇଛି।
ଗିରିଶଙ୍କ ଏହି ସଫଳତା ପ୍ରମାଣ କରିଛି ଯେ, ପରିସ୍ଥିତି ଯେତେ କଠିନ ହେଉନାହିଁ, ଲକ୍ଷ୍ୟ ପ୍ରତି ନିଷ୍ଠା ଓ ପରିଶ୍ରମ ଥିଲେ ସ୍ୱପ୍ନ ନିଶ୍ଚୟ ସତ ହୁଏ। ତାଙ୍କ କାହାଣୀ ଆଜି ଲକ୍ଷ ଲକ୍ଷ ଯୁବପିଢ଼ୀଙ୍କ ପାଇଁ ପ୍ରେରଣା ପାଲଟିଛି।