କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବାଇପାସ ରୋଡରେ ଏକ ଭୟାବହ ଦୁର୍ଘଟଣା ଘଟିଛି । ଶୁକ୍ରବାର ବିଳମ୍ବିତ ରାତିରେ ହାଇୱାକୁ ବିଏମଡବ୍ଲ୍ୟୁ ଗାଡ଼ି ପଛ ପାର୍ଶ୍ୱରୁ ଧକ୍କା ଦେଇଛି । ଫଳରେ କାରରେ ବସିଥିବା ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ହେଲେ ବଲାଙ୍ଗୀର ଜିଲା ଟିଟଲାଗଡ଼ର ପିଣ୍ଟୁ ବାଗ ଓ ଧର୍ମଗଡ଼ ଅଞ୍ଚଳର ଗୌତମ ନାଏକ ।
ଗତକାଲି ବିଳମ୍ବିତ ରାତିରେ ଭବାନୀପାଟଣା ବାଇପାସ୍ ରୋଡରେ ବିଏମଡବ୍ଲ୍ୟୁ କାର (HR 26BC 8384) ଏକା ହାଇୱାକୁ ଧକ୍କା ଦେଇଥିଲା । କାରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା । ଫଳରେ କାର ଚାଳକଙ୍କ ସହିତ ଅନ୍ୟ ଜଣେ ବ୍ୟକ୍ତି ସେଥିରେ ଫସି ଯାଇଥିଲେ । ଏବଂ ଘଟଣାସ୍ଥଳରେ ହିଁ ପ୍ରାଣ ବାୟୁ ଉଡ଼ିଯାଇଥିଲା । ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଉଦ୍ଧାର କରିବା ସହିତ କାରକୁ ଜବତ କରିଛି ।
ଦୁର୍ଘଟଣାର ଚିତ୍ର ଦେଖିଲେ କାରଟି ଦ୍ରୁତଗତିରେ ଆସି ପିଟିଥିବା ଅନୁମାନ କରାଯାଉଛି । ତେବେ ପୋଲିସ ଯାଞ୍ଚ ଜାରି ରଖିଛି ।