ଭୁବନେଶ୍ୱର: ମୋହନ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ କ୍ୟାବିନେଟ୍ ନେଇଛି ଏକାଧିକ ଗୁରୁତ୍ୱପୂର୍ଣ୍ଣ ଓ ଦୂରଦର୍ଶୀ ନିଷ୍ପତ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ୬ଟି ବିଭାଗର ୮ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏହା ସହ ଦୁଇ ବର୍ଷ ମଧ୍ୟରେ ସରକାରୀ କ୍ୟାବିନେଟ୍ ମୋଟ ୩୦୧ଟି ପ୍ରସ୍ତାବକୁ ଅନୁମୋଦନ ଦେଇଥିବା ରେକର୍ଡ ମଧ୍ୟ ସୃଷ୍ଟି ହୋଇଛି।
ଏଥର କ୍ୟାବିନେଟ୍ର ସବୁଠାରୁ ଚର୍ଚ୍ଚିତ ନିଷ୍ପତ୍ତି ହେଉଛି ବନ୍ଦ ପଡ଼ିଥିବା ସମବାୟ ସୂତାକଳ ଓ କଳତନ୍ତ ୟୁନିଟ୍ଗୁଡ଼ିକର ବକେୟା ଦେୟ ପରିଶୋଧ ପାଇଁ ୨୦୦ କୋଟି ଟଙ୍କା ମଞ୍ଜୁରି। ଆର୍ଥିକ ସଙ୍କଟ ଓ ଅଚଳ ଯନ୍ତ୍ରପାତି କାରଣରୁ ବର୍ଷ ବର୍ଷ ଧରି ବନ୍ଦ ଥିବା ଏହି ୟୁନିଟ୍ଗୁଡ଼ିକର ପୁନରୁଦ୍ଧାର ସମ୍ଭବ ନୁହେଁ ବୋଲି ସରକାର ମନେ କରିଛନ୍ତି। ତେଣୁ ସେମାନଙ୍କ ଜମି ଓ ସମ୍ପତ୍ତିକୁ ନୂଆ ପୋଷାକ ଏବଂ ବୟନ ଶିଳ୍ପ ପାଇଁ ବ୍ୟବହାର କରାଯିବ। ଏଥିରୁ ନୂଆ ନିବେଶ ଓ ରୋଜଗାର ସୃଷ୍ଟିର ବଡ଼ ସୁଯୋଗ ଖୋଲିବ ବୋଲି ଆଶା କରାଯାଉଛି।
ଅନ୍ୟପଟେ ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ଘୋଷଣାକୁ ନେଇ ମଧ୍ୟ କ୍ୟାବିନେଟ୍ କଠୋର ମନୋଭାବ ଦେଖାଇଛି। ପ୍ରତିବର୍ଷ ଜାନୁଆରୀ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦେବା ବାଧ୍ୟତାମୂଳକ ଥିଲେ ମଧ୍ୟ ଅନେକ କର୍ମଚାରୀ ଏହାକୁ ଅବହେଳା କରୁଥିଲେ। ଏବେ ଯଦି କେହି ସମ୍ପତ୍ତି ବିବରଣୀ ଦାଖଲ ନ କରନ୍ତି କିମ୍ବା ଭୁଲ ତଥ୍ୟ ଦିଅନ୍ତି, ତେବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ହେବ।
ଗ୍ରାମାଞ୍ଚଳର ରୋଜଗାର ବୃଦ୍ଧି ପାଇଁ ‘ବିଭିଜି ରାମଜୀ (ଗ୍ରାମୀଣ)’ ଯୋଜନାକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଏହା ଅଧୀନରେ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ବର୍ଷକୁ ଅନ୍ୟୁନ ୧୨୫ ଦିନର କର୍ମନିୟୋଜନ ମିଳିବ। ସେହିପରି ପିଏମ୍ ସ୍ୱ-ନିଧି ଯୋଜନାରେ ଉଠା ଦୋକାନୀଙ୍କୁ ମିଳୁଥିବା ଋଣ ଉପରେ ବନ୍ଧକ ଚୁକ୍ତିନାମାର ଷ୍ଟାମ୍ପ ଡ୍ୟୁଟି ଛାଡ଼ ଦିଆଯିବ।
ଏହା ସହିତ ଓଡ଼ିଶାର ବିଭିନ୍ନ ସ୍ଥାନର ବିକୃତ ଇଂରାଜୀ ବନାନ ସଂଶୋଧନ କରି ପ୍ରକୃତ ଓଡ଼ିଆ ନାମ ପୁନର୍ବହାଳ ପାଇଁ ମଧ୍ୟ ଅନୁମୋଦନ ମିଳିଛି। ଭୁବନେଶ୍ୱର ବିକାଶ କର୍ତ୍ତୃପକ୍ଷର ଟାଉନ ପ୍ଲାନିଂ ସ୍କିମ୍ରେ ସ୍ୱେରେଜ ବ୍ୟବସ୍ଥା ପାଇଁ ୧୭୫ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ, ଓଡ଼ିଶା ରାଜ୍ୟ ବିଧି ଆୟୋଗର ଅଣ-ସରକାରୀ ପୂର୍ଣ୍ଣକାଳୀନ ସଦସ୍ୟଙ୍କ ପାରିତୋଷିକ ୭୫ ହଜାରରୁ ବଢ଼ି ୧.୨୦ ଲକ୍ଷ ଟଙ୍କା ହୋଇଛି।
ଦୁଇ ବର୍ଷ ପୂର୍ତ୍ତିରେ ନିଆଯାଇଥିବା ଏହି ନିଷ୍ପତ୍ତିଗୁଡ଼ିକ ଏକପଟେ ଶିଳ୍ପ, ରୋଜଗାର ଓ ଭିତ୍ତିଭୂମି ବିକାଶକୁ ଗତି ଦେବ, ଅନ୍ୟପଟେ ପ୍ରଶାସନିକ ସ୍ୱଚ୍ଛତା ଓ ଜବାବଦେହିତାକୁ ଆହୁରି ମଜବୁତ କରିବ ବୋଲି ସରକାରଙ୍କ ଆଶା।