ଧର୍ମଶାଳା: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆଜି ଧର୍ମଶାଳାରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ । ଆହତ କାରଣରୁ ବିରାଟ କୋହଲି ସିରିଜରୁ ବାଦ୍ ପଡିଥିବା ବେଳେ ଏବେ ସଭିଙ୍କ ନଜର ହିଟମ୍ୟାନ ରୋହିତ ଶର୍ମାଙ୍କ ଉପରେ ରହିଛି । ଆହତ ସମସ୍ୟା କାରଣରୁ ରୋହିତ ଆଇପିଏଲର କିଛି ମ୍ୟାଚ୍ ଖେଳି ପାରି ନ ଥିଲେ । କିନ୍ତୁ ଏବେ ସଂପୂର୍ଣ୍ଣ ଫିଟ୍ ହୋଇ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ । ଆଜି ମଇଦାନକୁ ଓହ୍ଲାଇବା ମାତ୍ରେ ରୋହିତ ୩୭ ବର୍ଷର ଏକ ପୁରୁଣା ରେକର୍ଡ ଧ୍ୱସ୍ତ କରିବେ ଏବଂ ଦିନିକିଆରେ ଭାରତ ପକ୍ଷରୁ ସବୁଠୁ ଅଧିକ ବୟସ୍କର ଖେଳାଳି ହେବାର ଉପଲବ୍ଧି ହାସଲ କରିବେ ।
ଏହା ପୂର୍ବରୁ ଏହି ରେକର୍ଡ ୧୯୮୩ ବିଶ୍ୱକପ୍ ଫାଇନାଲର ହିରୋ ମହିନ୍ଦର ଅମରନାଥଙ୍କ ନାମରେ ଥିଲା । ମହିନ୍ଦର ଅମରନାଥ ୧୯୮୯ରେ ନିଜର ଶେଷ ଦିନିକିଆ ଖେଳିବା ସମୟରେ ବୟସ ୩୯ ବର୍ଷ ୩୬ ଦିନ ହୋଇଥିଲା । ଆଜି ରୋହିତ ଶର୍ମା ମଇଦାନକୁ ଓହ୍ଲାଇବା ସମୟରେ ତାଙ୍କର ବୟସ ୩୯ ବର୍ଷ ୪୪ ଦିନ ହେବ । ସେ ଭାରତ ପାଇଁ ଦିନିକିଆ ଖେଳିବାରେ ସବୁଠୁ ଅଧିକ ବୟସ୍କ କ୍ରିକେଟର ହେବାର ରେକର୍ଡ ନିଜ ନାମରେ କରିବେ ।
ଅନ୍ୟପଟେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ନିଜର ଶେଷ ଦିନିକିଆ ୩୮ ବର୍ଷ ୩୨୯ ଦିନ ବୟସରେ ଖେଳିଥିଲେ । ସଚିନ ନିଜର ଶେଷ ଦିନିକିଆ ୨୦୧୨ ମାର୍ଚ୍ଚ ୧୮ରେ ପାକିସ୍ତାନ ବିପକ୍ଷରେ ଖେଳିଥିଲେ । ତେବେ ମୋଟାମୋଟି ଅନ୍ତର୍ଜାତୀୟ କ୍ରିକେଟରେ ଦିନିକିଆରେ ସବୁଠୁ ଅଧିକ ବୟସରେ ଖେଳିଥିବା ଖେଳାଳି ହେଉଛନ୍ତି ନେଦରଲାଣ୍ଡସର ଟପ୍ ଅର୍ଡର ବ୍ୟାଟର ନୋଲନ କ୍ଲାର୍କ । ସେ ୪୭ ବର୍ଷ ୨୫୭ ଦିନ ବୟସରେ ମ୍ୟାଚ୍ ଖେଳିଥିଲେ ।
ଆଉ ଏକ କମାଲ କରିବେ ରୋହିତ
ହିଟମ୍ୟାନ ରୋହିତ ଶର୍ମା ଆଫଗାନିସ୍ତାନ ବିପକ୍ଷରେ ୬ ରନ କରିବା ମାତ୍ରେ ଅନ୍ତର୍ଜାତୀୟ କ୍ରିକେଟରେ ଓପନର ଭାବେ ୧୬ ହଜାର ରନ ପୂରା କରିବେ । ଏହି ସଫଳତା ହାସଲ କରିବାରେ ସେ ଓପନର ବୀରେନ୍ଦ୍ର ସେହ୍ୱାଗଙ୍କ ପରେ ଦ୍ୱିତୀୟ ଭାରତୀୟ ଓପନର ହେବେ । ସେହ୍ୱାଗ ଓପନର ଭାବେ ଭାରତ ପାଇଁ ୧୬ ହଜାର ୧୯ ରନ କରିଛନ୍ତି । ଯଦି ରୋହିତ ଶର୍ମାଙ୍କୁ ତାଙ୍କ ରେକର୍ଡ ଭାଙ୍ଗିବାର ଅଛି ତେବେ ଏହି ସିରିଜରେ ଅତି କମରେ ୧୨୬ ରନ କରିବାକୁ ପଡିବ ।