ନୂଆଦିଲ୍ଲୀ: ସାଧାରଣ ଗ୍ରାହକଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର। ପେଟ୍ରୋଲ ପମ୍ପଗୁଡ଼ିକରେ ତେଲର ଅଭାବ ଦୂର କରିବା ଏବଂ କଳାବଜାରୀ ରୋକିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ଶିଳ୍ପସଂସ୍ଥା, ବାଣିଜ୍ୟିକ ପ୍ରତିଷ୍ଠାନ କିମ୍ବା କୌଣସି ବଡ଼ ଅନୁଷ୍ଠାନ ସାଧାରଣ ପେଟ୍ରୋଲ ପମ୍ପରୁ ପେଟ୍ରୋଲ କିମ୍ବା ଡିଜେଲ୍ ପାଇପାରିବେ ନାହିଁ। ବେପାରୀ ସୂତ୍ରରେ ଅଧିକ ପରିମାଣର ତେଲ କିଣିବା ଉପରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ କଟକଣା ଜାରି କରିଛନ୍ତି।
କେବଳ ସେତିକି ନୁହେଁ, ସାଧାରଣ ପେଟ୍ରୋଲ ପମ୍ପରେ ଗୋଟିଏ ଗାଡ଼ି ବା ଜଣେ ଗ୍ରାହକଙ୍କୁ ଦିନକୁ ସର୍ବାଧିକ ୨୦୦ ଲିଟର ପର୍ଯ୍ୟନ୍ତ ଡିଜେଲ୍ ମିଳିପାରିବ। ପେଟ୍ରୋଲିୟମ୍ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଏହି ନୂଆ ନିୟମ ଆଗାମୀ ୯୦ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ।
କାହିଁକି ଏଭଳି ନିଷ୍ପତ୍ତି ନେଲେ ସରକାର?
ପଶ୍ଚିମ ଏସିଆରେ ଦେଖାଦେଇଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଯୋଗାଣ ପ୍ରଭାବିତ ହୋଇଛି। ଏହା ସତ୍ତ୍ବେ ଦେଶର ସାଧାରଣ ଜନତା, ଚାଷୀ ଓ ପରିବହନ ବ୍ୟବସ୍ଥାକୁ ମହଙ୍ଗା ମାଡ଼ରୁ ରକ୍ଷା କରିବା ପାଇଁ ସରକାରୀ ତେଲ କମ୍ପାନୀଗୁଡ଼ିକ ଖୁଚୁରା ବଜାରରେ ପେଟ୍ରୋଲ-ଡିଜେଲ ଦର ବଢ଼ାଇ ନାହାନ୍ତି।
ଉଦାହରଣ ସ୍ୱରୂପ, ଦିଲ୍ଲୀରେ ଖୁଚୁରା ପେଟ୍ରୋଲ ପମ୍ପରେ ଡିଜେଲ ଲିଟର ପିଛା ପ୍ରାୟ ୯୫.୨୦ ଟଙ୍କା ଥିବାବେଳେ, ଶିଳ୍ପସଂସ୍ଥା ପାଇଁ ବଲ୍କ ରେଟ୍ ପ୍ରାୟ ୧୩୪.୫୦ ଟଙ୍କା ରହିଛି। ଲିଟର ପିଛା ପ୍ରାୟ ୩୯ ଟଙ୍କାର ଏହି ବଡ଼ ଫରକ ଯୋଗୁଁ ଅନେକ ବଡ଼ ବଡ଼ କାରଖାନା, ମଲ୍ ଏବଂ ଟେଲିକମ୍ ଟାୱାର ଅପରେଟରମାନେ ନିଜର ସ୍ୱତନ୍ତ୍ର ସପ୍ଲାଇ ଚ୍ୟାନେଲ ଛାଡ଼ି ସାଧାରଣ ପେଟ୍ରୋଲ ପମ୍ପରୁ ଶସ୍ତାରେ ଡ୍ରମ୍ ଏବଂ ଜେରିକେନରେ ତେଲ କିଣିବା ଆରମ୍ଭ କରିଦେଇଥିଲେ।
ଏହାଦ୍ବାରା ପେଟ୍ରୋଲ ପମ୍ପଗୁଡ଼ିକରେ ହଠାତ୍ ଅସ୍ୱାଭାବିକ ଭାବେ ଭିଡ଼ ଓ ଚାହିଦା ବଢ଼ିଯାଇଥିଲା, ଯାହା ଫଳରେ ସାଧାରଣ ବାଇକ୍ ଓ କାର୍ ଚାଳକଙ୍କ ପାଇଁ ତେଲର ସଙ୍କଟ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଥିଲା। ଏହି କଳାବଜାରୀ ଓ ମହଜୁଦକାରୀକୁ ରୋକିବା ପାଇଁ ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅଧୀନରେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।