ନୂଆଦିଲ୍ଲୀ: ଆସାମର ଜୋରହାଟ ଏୟାରବେସରେ ବାୟୁସେନା ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବାୟୁସେନା ବିମାନ ଏନ୍-୩୨ରେ ଅଗ୍ନିକାଣ୍ଡ ହୋଇଛି । ବିମାନ ଅବତରଣ କରିବା ପରେ ଅଘଟଣା ଘଟିଥିବା ସୂଚନା ମିଳିଛି । ତେବେ ମୃତାହତଙ୍କ ନେଇ କୌଣସି ସୂଚନା ଦିଆଯାଇନାହିଁ ।
ଶନିବାର ସକାଳେ ଏନ୍-୩୨ ବିମାନ ନିୟମିତ ଭଳି ଉଡ଼ାଣ ଭରିଥିଲା । ଏହା ପରେ ଲ୍ୟାଣ୍ଡିଂ କରିଥିଲା । ଲ୍ୟାଣ୍ଡିଂ କରିବା ପରେ ଏକ ବିସ୍ଫୋରଣ ହୋଇ ତୁରନ୍ତ ବିମାନରେ ନିଆଁ ଲାଗିଯାଇଥିଲା । ସେଠାରେ ମହଜୁତ ଅଗ୍ନିଶମ ବାହିନୀ ନିଆଁଙ୍କୁ ଆୟତ୍ତ କରିଛନ୍ତି । ଏହା ସହିତ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ନିଆଁ ଲାଗିବା ପରେ ବିମାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସେଥିରେ କେତେଜଣ କ୍ରୁ ସଦସ୍ୟ ରହିଥିଲେ ଏବଂ ତାଙ୍କର ଅବସ୍ଥା କିପରି ରହିଛି ସେ ନେଇ କୌଣସି ବାୟୁସେନା ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ପ୍ରଦାନ କରାଯାଇନାହିଁ । ସେହିପରି ଦୁର୍ଘଟଣାର କାରଣ ମଧ୍ୟ ଜଣାପଡ଼ିନାହିଁ ।