ନୂଆଦିଲ୍ଲୀ: ଶନିବାର ସକାଳେ ଆସାମର ଜୋରହାଟ ଏୟାରବେସରେ ବାୟୁସେନା ବିମାନ ଦୁର୍ଘଟଣା ଗ୍ରସ୍ତ ଘଟଣାରେ ବଡ଼ ସୂଚନା ମିଳିଛି । ବିମାନରେ ଥିବା ୫ ଜଣ ଯବାନ ଶହୀଦ ହୋଇଛନ୍ତି । ଏ ନେଇ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । ତଦନ୍ତ ପାଇଁ ବାୟୁସେନା ନିର୍ଦ୍ଦେଶ ଦେଇଛି । ଶହୀଦ ଯବାନମାନେ ହେଲେ ସ୍କ୍ୱାଡ୍ରନ୍ ଲିଡର୍ ପ୍ରଶାନ୍ତ ସିଂହ, ଲେପ୍ଟନାଣ୍ଟ ଶୁଭମ କୁମାର, ସାର୍ଜେଂଟ ଜିତେନ୍ଦ୍ର ଶର୍ମା, ଅଗ୍ନିବୀର ବାୟୁ ଖୋମାରାମ କୁମାବତ, ଅଗ୍ନିବୀରବାୟୁ ଦାନିଶ ଆଲମ । ବିମାନର ସହ ଚାଳକଙ୍କୁ ଜୀବିତ ଉଦ୍ଧାର କରାଯାଇଛି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାୟୁସେନା ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛି ।
ଆସାମ ଜୋରହାଟସ୍ଥି ରୈରିୟା ବାୟୁସେନା ଘାଟିରେ ବାୟୁସେନାର ପରିବହନକାରୀ ବା କାର୍ଗୋ ବିମାନ ଏଏନ୍-୩୨ରେ ନିୟମିତ ଭଳି ଉଡ଼ାଣ ଭରିଥିଲା । ଏହା ପରେ ଲ୍ୟାଣ୍ଡିଂ କରିଥିଲା । ଲ୍ୟାଣ୍ଡିଂ କରିବା ସମୟରେ ବିମାନରେ ହଠାତ୍ ନିଆଁ ଲାଗିଥିଲା । ସେଠାରେ ମହଜୁତ ଅଗ୍ନିଶମ ବାହିନୀ ନିଆଁଙ୍କୁ ଆୟତ୍ତ କରି ଯୁଦ୍ଧକାଳୀନ ସ୍ଥିତିରେ ଉଦ୍ଧାରକାର୍ୟ୍ୟ କରିଥିଲେ । ମାତ୍ର ବିମାନରେ ଥିବା ୫ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ଜଣାପଡ଼ିନାହିଁ । ତେବେ ଦୁର୍ଘଟଣା କେମିତି ଘଟିଲା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।
ଆଣ୍ଟୋନୋଭ ଏଏନ୍-୩୨ ହେଉଛି ଏକ ଦୃଢ଼, ଦୁଇ-ଇଞ୍ଜିନ ବିଶିଷ୍ଠ ଟର୍ବୋପ୍ରପ୍ ସାମରିକ ପରିବହନ ବିମାନ । ଯାହା ଭାରତୀୟ ବାୟୁସେନା ପାଇଁ ଏକ ନିର୍ଭରଯୋଗ୍ୟ ବିମାନ ଅଟେ । ଏହା ମୂଳତଃ ସୋଭିଏତ୍ ୟୁନିଅନରେ ନିର୍ମାଣ କରାଯାଇଥିଲା । ଭାରତୀୟ ବାୟୁସେନା ପାଖରେ ଏପରି ପ୍ରାୟ ୧୦୦ଟି ବିମାନ ରହିଛି । ଏହା ପରିବେଶର ସମସ୍ତ ପ୍ରତିକୂଳ ପରିସ୍ଥିତି ଯଥା ଗ୍ରୀଷ୍ଣ ପ୍ରବାହରେ ମଧ୍ୟ ଉଡ଼ିପାରିବାର କ୍ଷମତା ରଖିଛି । ଗୋଟିଏ ସମୟରେ ଏହା ୭.୫ ଟନ୍ ସାମଗ୍ରୀ, ୫୦ ଜଣ ଯାତ୍ରୀ କିମ୍ବା ୪୨ ପାରାଟ୍ରୁପ୍ ବହନ କରିପାରିବାର କ୍ଷମତା ରଖିଛି । ଏହା ଅତି ଅପହଞ୍ଚ ଅଞ୍ଚଳରେ ସାମଗ୍ରୀ ପହଁଚାଇ ପାରିବ ।
୧୯୮୦ ମସିହାରେ ଭାରତୀୟ ବାୟୁସେନାରେ ଏହାକୁ ସାମିଲ କରାଯାଇଥିଲା । ତେବେ ୧୯୮୬ରୁ ଆଜି ପର୍ୟ୍ୟନ୍ତ ଏହି ବିମାନ ୨୨ଟି ଦୁର୍ଘଟଣାର ସମ୍ମୁଖୀନ ହୋଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ମାର୍ଚ୍ଚ ୫ ତାରିଖରେ ଆସାମର କାର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ସୁଖୋଇ ଏସୟୁ-୩୦ ଏମକେ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଭାରତୀୟ ବାୟୁସେନାର ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିଲା । ଜୋରହାଟରୁ ପ୍ରାୟ ୬୦ କିଲୋମିଟର ଦୂରରେ ସନ୍ଧ୍ୟା ୭:୪୨ ସମୟରେ ଏହି ଦୁର୍ଘଟଣା ଘଟିଥିଲା ।