ହାଇଦ୍ରାବାଦ: ହାଇଦ୍ରାବାଦରେ ଘଟିଛି ହୃଦୟ ବିଦାରକ ଘଟଣା। ୬ ମହଲା ଆପାର୍ଟମେଣ୍ଟରୁ ୬ ମାସର ଶିଶୁକୁ କୋଳରେ ଧରି ଡେଇଁପଡ଼ିଲେ ଜଣେ ସଫ୍ଟୱେର ଇଞ୍ଜିନିୟର। ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ଅଲୌକିକ ଭାବେ ଶିଶୁଟି ବଞ୍ଚିଯାଇଛି। ହାଇଦ୍ରାବାଦର ମିୟାପୁର ଅଞ୍ଚଳସ୍ଥିତ ଏକ ଆପାର୍ଟମେଣ୍ଟରେ ଘଟିଛି ଏହି ଦୁଃଖଦ ଘଟଣା। ମୃତ ମହିଳା ହେଲେ ୩୭ ବର୍ଷୀୟା ଇଶା ସାହୁ।
ଶୁକ୍ରବାର ଅପରାହ୍ନ ପ୍ରାୟ ୩.୪୫ଟା ବେଳେ ସେ ନିଜ ୬ ମାସର ଝିଅକୁ କୋଳରେ ଧରି ଷଷ୍ଠ ମହଲା ବାଲକୋନିରୁ ଡେଇଁପଡ଼ିଥିଲେ। ସେତେବେଳେ ପରିବାରର ଅନ୍ୟ ସଦସ୍ୟମାନେ ଘର ଭିତରେ ଥିଲେ ଏବଂ ଘଟଣା ସମ୍ପର୍କରେ କିଛି ଜାଣିପାରିନଥିଲେ। ତେବେ ପଡ଼ିବା ସମୟରେ ଶିଶୁଟି ମା’ଙ୍କ ହାତରୁ ଖସିଯାଇ ଏକ ସୁରକ୍ଷା ଜାଲରେ ଆଘାତ ପାଇଥିଲା। ଫଳରେ ପଡ଼ିବାର ବେଗ କମିଯାଇଥିଲା ଓ ଶିଶୁଟିର ଜୀବନ ବଞ୍ଚିଯାଇଥିଲା। ପଡ଼ୋଶୀମାନେ ତୁରନ୍ତ ଶିଶୁଟିକୁ ହସ୍ପିଟାଲକୁ ନେଇଥିଲେ। ଡାକ୍ତରଙ୍କ ସୂଚନା ଅନୁସାରେ, ଶିଶୁଟି ଏବେ ବିପଦମୁକ୍ତ ଅଛି।
ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଇଶା ଦୀର୍ଘଦିନ ଧରି ନିଦ୍ରାହୀନତା, ମାନସିକ ଚାପ ଏବଂ ପ୍ରସବ ପରବର୍ତ୍ତୀ ଅବସାଦ (Postpartum Depression) ଭଳି ସମସ୍ୟାରେ ପୀଡ଼ିତ ଥିଲେ। ଏହି ମାନସିକ ଅସ୍ଥିରତା ତାଙ୍କୁ ଏଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ କରିଥାଇପାରେ ବୋଲି ସନ୍ଦେହ କରୁଛି ପୁଲିସ।
ଘଟଣାକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି। ଗୋଟେ ପଟେ ଜଣେ ମା’ର ମୃତ୍ୟୁ, ଅନ୍ୟପଟେ ଅଲୌକିକ ଭାବେ ଶିଶୁର ବଞ୍ଚିଯିବା, ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।