ନୂଆଦିଲ୍ଲୀ: ଅବୈଧ ଅନୁପ୍ରବେଶ ରୋକିବାକୁ ଆସାମ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଶନିବାର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ନୂତନ ଆଧାର ପଞ୍ଜିକରଣ ଉପରେ ରହିତାଦେଶ ଜାରି କରାଯାଇଛି । ଅନୁପ୍ରବେଶ ରୋକିବାକୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀ ବିଶ୍ୱ ଶର୍ମା କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୂଚନା ଦେଇଛନ୍ତି ଯେ ଆସାମ କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ରାଜ୍ୟରେ ଆଉ ନୂତନ ଆଧାର ପଞ୍ଜିକରଣ ହେବ ନାହିଁ । ଏହି ନିୟମ କେବଳ ୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କ ପାଇଁ ଲାଗୁ ହୋଇଛି । ୧୮ ବର୍ଷରୁ କମ୍ ପିଲାମାନେ ନୂତନ ଆଧାର ପଞ୍ଜିକରଣ ପାଇଁ ଆବେଦନ କରିପାରିବେ । ସେହିପରି ମାର୍ଚ୍ଚ ୨୦୨୭ ସୁଦ୍ଧା ସମସ୍ତ ଅନୁସୂଚିତ ଜାତି, ଜନଜାତି ଏବଂ ଚା ବଗିଚାର ଲୋକେ ଆଧାର କାର୍ଡ ପାଇପାରିବେ । ବିଶେଷ କ୍ଷେତ୍ରରେ ଜିଲ୍ଲା ଆୟୋଗ ରାଜ୍ୟ ସରକାରଙ୍କଠାରୁ ଅନୁମତି ପାଇଁ ଆବେଦନ କରିପାରିବେ । ଏହା ପରେ ଉକ୍ତ ବ୍ୟକ୍ତି ନୂତନ କାର୍ଡ ପାଇଁ ଯୋଗ୍ୟ କି ନୁହେଁ ତାହା ସରକାର ନିଷ୍ପତ୍ତି ନେବେ ।
ସେହିପରି ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ରାଜ୍ୟରେ ଆଧାର ପଞ୍ଜିକରଣ ଏକ ଚରମ ସ୍ତରରେ ପହଁଚି ସାରିଛି । କିଛି କିଛି ଜିଲ୍ଲାରେ ଶତ ପ୍ରତିଶତ ଆଧାର ପଞ୍ଜିକରଣ ମଧ୍ୟ ଶେଷ ହୋଇଛି । କିଛି ଲୋକ ଅତିରିକ୍ତ ଆଧାର କାର୍ଡ ମଧ୍ୟ ରଖିଛନ୍ତି । ଯେପରି କୌଣସି ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀ ଆଧାର କାର୍ଡ ନ ପାଆନ୍ତି ତାହାକୁ ସୁନିଶ୍ଚିତ କରିବାକୁ ଉଚିତ ପଦକ୍ଷେପ ନିଆଯାଇଛି ।
୧ ଏପ୍ରିଲ, ୨୦୨୭ ପରଠାରୁ ଆଧାର ପଞ୍ଜିକରଣ ସମ୍ପୂର୍ଣ୍ଣ ରଦ୍ଦ କରାଯିବ । ଅନୁସୂଚିତ ଜାତି, ଜନଜାତି ଏବଂ ଚା ବଗିଚାରେ କାର୍ଯ୍ୟରତ କର୍ମଚାରୀଙ୍କୁ ମଧ୍ୟ ଆଧାର କାର୍ଡ ମିଳିବ ନାହିଁ । ଅବୈଧ ଅନୁପ୍ରବେଶ ରୋକିବାକୁ ଆସାମ ସରକାର କଠୋର ନୀତି ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।