ବରପାଲି: ଭକ୍ତି, ପରମ୍ପରା ଓ ଆଧ୍ୟାତ୍ମିକତାର ଅନନ୍ୟ ସଙ୍ଗମ ପାଲଟିଥିବା ୧୪୯ତମ ବରପାଲି ଶୀତଳଷଷ୍ଠୀ ଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି। ବାବା କପିଳେଶ୍ୱରଙ୍କ ପକ୍ଷରୁ ଶ୍ରୀଶ୍ରୀ ହରପାର୍ବତୀ ଓ ନଟରାଜଙ୍କ ଦିବ୍ୟ ସ୍ନାନ, ଶତ ଆରତି ଏବଂ ବିଶେଷ ଭୋଗ ଅର୍ପଣ କରାଯାଇଥିବା ବେଳେ ସମଗ୍ର ଅଞ୍ଚଳ ଭକ୍ତିରେ ମଗ୍ନ ହୋଇଯାଇଥିଲା।
ମଧ୍ୟାହ୍ନରେ ଅମୃତ ମନୋହୀ ଭୋଗ ନୀତି ସମ୍ପନ୍ନ ହେବା ପରେ ଦେବଦମ୍ପତିଙ୍କ ବିଶ୍ରାମ ବିଧି ଅନୁଷ୍ଠିତ ହୋଇଥିଲା। ତେବେ ସନ୍ଧ୍ୟାବେଳେ ହିମାଦ୍ରିନଗରରେ ଆୟୋଜିତ ବହୁ ପ୍ରତୀକ୍ଷିତ ପତରପେଣ୍ଡି ବା କନ୍ୟା ମନୋନୟନ ରୀତି ଉତ୍ସବର ପ୍ରମୁଖ ଆକର୍ଷଣ ପାଲଟିଥିଲା।
ଆରତି ଓ ପ୍ରାର୍ଥନା ପରେ ବରପକ୍ଷ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଦାଶ ଶ୍ଳୋକ ମାଧ୍ୟମରେ ବାବା କପିଳେଶ୍ୱରଙ୍କ ମହିମା ବର୍ଣ୍ଣନା କରିଥିବା ବେଳେ କନ୍ୟାପକ୍ଷ ପଣ୍ଡିତ ତାପ୍ତିକୁମାର ସିଂହ ମାତା ପାର୍ବତୀଙ୍କ ଗୁଣଗାନ କରିଥିଲେ। ପରମ୍ପରା ଅନୁଯାୟୀ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ଓ ପ୍ରଶ୍ନୋତ୍ତର ପର୍ବ ଚାଲିଥିଲା। ତାରକାସୁର ବଧ ଓ ବିଶ୍ୱ କଲ୍ୟାଣ ପାଇଁ ଶିବ-ପାର୍ବତୀଙ୍କ ବିବାହର ଆବଶ୍ୟକତା ସମ୍ପର୍କରେ ବରପକ୍ଷ ଯୁକ୍ତି ରଖିଥିଲେ।
ଶେଷରେ ଉଭୟ ପକ୍ଷ ମଧ୍ୟରେ ସହମତି ପ୍ରକାଶ ପାଇବା ସହ ହର-ପାର୍ବତୀଙ୍କ ଦିବ୍ୟ ବିବାହ ସ୍ଥିର ହୋଇଥିଲା। ପରେ କମିଟି ସଭାପତି ଆନନ୍ଦ ବାବୁ, ସମ୍ପାଦକ ଜୟନ୍ତ ତ୍ରିପାଠୀ ଓ ଅନ୍ୟ ସଦସ୍ୟମାନେ କନ୍ୟାପିତା ଶିବୁ ଅଗ୍ରୱାଲଙ୍କୁ ସର୍ଗିପତ୍ର ପ୍ରଦାନ କରି ନିର୍ବନ୍ଧ କାର୍ଯ୍ୟ ସମାପନ କରିଥିଲେ। ହଜାର ହଜାର ଶୈବଭକ୍ତଙ୍କ ଉପସ୍ଥିତିରେ ବରପାଲି ଶୀତଳଷଷ୍ଠୀ ଉତ୍ସବ ଏବେ ଚରମ ଉତ୍ସାହରେ ପହଞ୍ଚିଥିବା ବେଳେ ଆଗାମୀ ବିବାହ ଉତ୍ସବକୁ ନେଇ ଭକ୍ତଙ୍କ ମଧ୍ୟରେ ବଢ଼ିଛି ଉତ୍କଣ୍ଠା।