ପୁରୀ: ରଥଖଳାରେ ବିବାଦ । ଶ୍ରୀମନ୍ଦିର ପ୍ରଶାସନର ନୂତନ ନିୟମକୁ ନେଇ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରଖିଛନ୍ତି ବିଶ୍ୱକର୍ମା ମହାରଣା । ବଳକା କାଠକୁ ନେଇ କଟକଣା ଜାରି କରିବା ପରେ ଆଜି ତିନି ରଥର ବିଶ୍ୱକର୍ମା ମହାରଣାମାନେ କାର୍ଯ୍ୟ ବନ୍ଦ ରଖିଛନ୍ତି ।
ଶ୍ରୀମନ୍ଦିର ସ୍ୱତଲିପି ଅନୁସାରେ ମହାରଣା ସେବକମାନେ ଚିରଟ କାଠର ବଳକା କାଠକୁ ଖେଇ ବା ପ୍ରାପ୍ୟ ହିସାବରେ ନେଇ ଥାଆନ୍ତି । ଗୋଲେଇ ଚିରଟ କାଠରୁ ୪ ଫୁଟରୁ କମ୍ ବଳକା କାଠ ରହିଲେ ତାହାକୁ ମହାରଣାମାନେ ନେଇ ଥାଆନ୍ତି । ୪ ଫୁଟରୁ ବଡ଼ କାଠକୁ ମନ୍ଦିର ପ୍ରଶାସନକୁ ଦିଆଯାଇଥାଏ । ୨୦୦୫ରେ ବସିଥିବା ବୈଠକ ଅନୁସାରେ ରଥ କାଠ ନିଅଣ୍ଟ ହେଉଥିବାରୁ ଆଗାମୀ ବର୍ଷ ରଥ ନିର୍ମାଣ କାର୍ଯ୍ୟ ପାଇଁ ଉକ୍ତ କାଠକୁ ରଖାଯାଇଥାଏ । ମାତ୍ର ଚଳିତ ବର୍ଷ ଶ୍ରୀମନ୍ଦିର ପ୍ରଶାସନ ଏହା ଉପରେ କଟକଣା ଜାରି କରିଛି । କୌଣସି ମହାରଣା ସେବକମାନେ ଚିରଟ କାଠର ବଳକା କାଠ ନେଇ ପାରିବେ ନାହିଁ ବୋଲି ମନ୍ଦିର ପ୍ରଶାସନ ନୋଟିସ୍ ଜାରି କରିଛି । ବଳକା କାଠ ବଦଳରେ ସେମାନଙ୍କୁ ଟଙ୍କା ଦିଆଯିବ ବୋଲି କୁହାଯାଇଛି । ଯାହାକୁ ନେଇ ମହାରଣାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ତିନି ରଥର ମୁଖ୍ୟ ମହାରଣା ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ।
ସେପଟେ ଆଜି ୫୮ତମ ଦିବସରେ ରଥ କାର୍ଯ୍ୟ ପହଁଚିଛି । କିନ୍ତୁ ଆଜି କାମ ବନ୍ଦ ରହିଛି । ମହାରଣାଙ୍କୁ ଯେଉଁ କାଠ ବଦଳରେ ଟଙ୍କା ଦିଆଯାଉଛି ତାହା ସମୁଦ୍ରକୁ ଶଙ୍ଖେ ବୋଲି କହିଛନ୍ତି । ତେଣୁ ସେମାନଙ୍କ ପ୍ରାପ୍ୟ କାଠ ଫେରାଇ ଦେବାକୁ କହିଛନ୍ତି । ଏହା ସହିତ ମହାରଣା ସେବାୟତମାନେ ରଥ ଖଳାର କେୟାର ଟେକର୍ ଚିତ୍ତରଞ୍ଜନ ମହାପାତ୍ରଙ୍କୁ ବହିଷ୍କାର କରିବାକୁ ଦାବି କରିଛନ୍ତି । କେୟାର ଟେକର୍ ଙ୍କ ପାଇଁ ସବୁ ବିଶୃଙ୍ଖଳା ସୃଷ୍ଟି ହେଉଛି ବୋଲି କହିଛନ୍ତି ।
ରଥଯାତ୍ରାକୁ ଆଉ ମାତ୍ର ମାସେ ବାକି ଥିବାବେଳେ ମହାରଣା ଓ ମନ୍ଦିର ପ୍ରଶାସନ ମଧ୍ୟରେ ଏଭଳି ବିବାଦ ବଡ଼ ଆଶଙ୍କା ସୃଷ୍ଟି କରିଛି । ତେବେ ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।