ନୂଆଦିଲ୍ଲୀ: ଓଡ଼ିଶାର ଗଣପର୍ବ ‘ରଜ’ ଏବେ କେବଳ ରାଜ୍ୟ ମଧ୍ୟରେ ସୀମିତ ନୁହେଁ, ବରଂ ଦେଶର ସର୍ବୋଚ୍ଚ ଶକ୍ତିକେନ୍ଦ୍ର ରାଷ୍ଟ୍ରପତି ଭବନରେ ମଧ୍ୟ ଏହାର ମହକ ଛାଇଯାଇଛି। ରାଷ୍ଟ୍ରପତି ଭବନ ସ୍ଥିତ କଲଚରାଲ ସେଣ୍ଟରରେ ବଡ଼ ଧୂମଧାମରେ ପାଳିତ ହୋଇଛି ଓଡ଼ିଆଙ୍କ ପ୍ରିୟ ପର୍ବ ‘ରଜ’। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉପସ୍ଥିତ ରହି ଉତ୍ସବର ଶୋଭା ବଢ଼ାଇଥିଲେ।
ଉତ୍ସବରେ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ପରମ୍ପରାର ଅପୂର୍ବ ଝଲକ ଦେଖିବାକୁ ମିଳିଥିଲା। ରଜ ଗୀତର ସୁରରେ ପରିବେଶ ମୁଖରିତ ହୋଇଥିବା ବେଳେ ଓଡ଼ିଶୀ, ସାନ୍ତାଳୀ, ଝୁମର, ସମ୍ବଲପୁରୀ ଓ ରଜ ବାଲେଟ୍ ନୃତ୍ୟ ଦର୍ଶକଙ୍କୁ ମୁଗ୍ଧ କରିଥିଲା। ପ୍ରତ୍ୟେକ ପରିବେଷଣ ଓଡ଼ିଶାର ସାଂସ୍କୃତିକ ଐଶ୍ୱର୍ଯ୍ୟକୁ ଜାତୀୟ ସ୍ତରରେ ଉପସ୍ଥାପନ କରିଥିଲା।
କେବଳ ନୃତ୍ୟ ଓ ସଙ୍ଗୀତ ନୁହେଁ, ରଜର ପାରମ୍ପରିକ ସ୍ୱାଦ ମଧ୍ୟ ଅତିଥିମାନଙ୍କୁ ଆକର୍ଷିତ କରିଥିଲା। ପୋଡ଼ପିଠା, ବିଭିନ୍ନ ପ୍ରକାର ମିଠା, ଦହିବରା-ଆଳୁଦମ୍ ଏବଂ ରଜଦୋଳିର ବ୍ୟବସ୍ଥା ଉତ୍ସବକୁ ଆହୁରି ଜୀବନ୍ତ କରିଥିଲା। ଦିଲ୍ଲୀର ହୃଦୟରେ ଓଡ଼ିଶାର ମାଟିର ମହକ ଓ ପରମ୍ପରାର ରଙ୍ଗ ସମସ୍ତଙ୍କୁ ମୋହିତ କରିଥିଲା।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ର, ଶକ୍ତିକାନ୍ତ ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଓ ସାଂସଦମାନେ ଯୋଗ ଦେଇଥିଲେ।
ଚାଷ ବର୍ଷର ଆଗମନକୁ ସ୍ୱାଗତ କରୁଥିବା ରଜ ପର୍ବ ଆଜି ରାଷ୍ଟ୍ରପତି ଭବନରେ ପାଳିତ ହେବା ସହ ଓଡ଼ିଶାର ସଂସ୍କୃତିକୁ ଜାତୀୟ ମଞ୍ଚରେ ଆହୁରି ଗୌରବାନ୍ୱିତ କରିଛି। ଏହା ପ୍ରମାଣ କରିଛି ଯେ, ଓଡ଼ିଆ ଅସ୍ମିତାର ସୁଗନ୍ଧ ଏବେ ସାରା ଦେଶରେ ବ୍ୟାପିଛି।