ନୂଆଦିଲ୍ଲୀ: ଦେଶରେ NEET UG ପରୀକ୍ଷାକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ପରୀକ୍ଷା ପୂର୍ବରୁ ଟେଲିଗ୍ରାମ୍ ଆପ୍ ଉପରେ କେନ୍ଦ୍ର ସରକାରଙ୍କ ପ୍ରତିବନ୍ଧକ ଲଗାଇବା ନିଷ୍ପତ୍ତିକୁ ଏବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି ପ୍ରସିଦ୍ଧ ମେସେଜିଂ ଆପ୍ 'ଟେଲିଗ୍ରାମ୍'। ଭାରତ ସରକାରଙ୍କ ବ୍ୟାନ୍ ନିଷ୍ପତ୍ତି ବିରୋଧରେ କମ୍ପାନୀ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଜଷ୍ଟିସ ତେଜସ କରିଆଙ୍କ ଖଣ୍ଡପୀଠଙ୍କ ସମ୍ମୁଖରେ ଏହି ମାମଲା ଆଗତ କରାଯାଇଥିବା ବେଳେ, କୋର୍ଟ ଆଜି ଏହାର ଜରୁରୀ ଶୁଣାଣି ପାଇଁ ସହମତି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ଆସନ୍ତା ୨୧ ଜୁନ୍ରେ ହେବାକୁ ଥିବା ନିଟ୍ ପରୀକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗତ ଜୁନ୍ ୧୬ ତାରିଖରେ ଟେଲିଗ୍ରାମକୁ ଜୁନ୍ ୨୨ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।
ପୂର୍ବରୁ ଗତ ମେ ୩ ତାରିଖରେ NEET UG ପରୀକ୍ଷା ଆୟୋଜନ କରାଯାଇଥିଲା। କିନ୍ତୁ ପ୍ରଶ୍ନପତ୍ର ଲିକ୍ ଆଶଙ୍କା କାରଣରୁ ମେ ୧୨ ତାରିଖରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଏହାପରେ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା NTA (ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି) ପକ୍ଷରୁ ଆସନ୍ତା ଜୁନ୍ ୨୧ ତାରିଖରେ ପୁନର୍ବାର ପରୀକ୍ଷା କରାଯିବାକୁ ଦିନ ଧାର୍ଯ୍ୟ ହୋଇଛି। ଏହି ପରୀକ୍ଷାକୁ ସ୍ୱଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବେ ଶେଷ କରିବା ପାଇଁ NTA ର ସୁପାରିଶ କ୍ରମେ ସରକାର ସାରା ଭାରତରେ ଟେଲିଗ୍ରାମ୍ ଆପ୍ର ଆକ୍ସେସ୍ ବ୍ଲକ୍ କରିଦେଇଛନ୍ତି। ତେବେ ସରକାରଙ୍କ ଏହି ପ୍ରତିବନ୍ଧକ ସାମୟିକ ଅଟେ ଏବଂ ଜୁନ୍ ୨୨ ପରେ ଏହା ପୁଣି ସ୍ୱାଭାବିକ ହୋଇଯିବ ବୋଲି ଜଣାପଡ଼ିଛି।
ଟେଲିଗ୍ରାମ୍ ସିଇଓଙ୍କ ବଡ଼ ଦାବି, ରିଲାଏନ୍ସକୁ ନେଇ ଉଠିଲା ପ୍ରଶ୍ନ
ଏହି ସମଗ୍ର ବିବାଦ ଭିତରେ ଟେଲିଗ୍ରାମ୍ ର ମୁଖ୍ୟ (CEO) ପାଭେଲ୍ ଡ୍ୟୁରୋଭ୍ ଏକ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି। ଭାରତରେ ଟେଲିଗ୍ରାମ୍କୁ ବ୍ୟାନ୍ କରିବା ପଛରେ ରିଲାଏନ୍ସ ଗ୍ରୁପ୍ ଏବଂ ହ୍ୱାଟସ୍ଆପ୍ର ହାତ ଥାଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏକ ପୋଷ୍ଟ ଶେୟାର କରି ଡ୍ୟୁରୋଭ୍ ଲେଖିଛନ୍ତି ଯେ, ହ୍ୱାଟସ୍ଆପ୍ର ମାଲିକାନା ସଂସ୍ଥା 'ମେଟା'ର ରିଲାଏନ୍ସରେ ଆଂଶିକ ଅଂଶଧନରହିଛି, ଯେଉଁଥିପାଇଁ ସେମାନେ ମିଳିତ ଭାବେ ଏହି ବ୍ୟାନ୍ ପାଇଁ ଲବିଂ କରିଥାଇପାରନ୍ତି। କେବଳ ସେତିକି ନୁହେଁ, ଭାରତ ବାହାରେ ଥିବା ଲକ୍ଷ ଲକ୍ଷ ୟୁଜର୍ସଙ୍କ ପାଇଁ ମଧ୍ୟ ରିଲାଏନ୍ସ ଟେଲିଗ୍ରାମ୍ ସେବାରେ ବାଧା ସୃଷ୍ଟି କରିଥିବା ସେ ଅଭିଯୋଗ କରିଛନ୍ତି।