ନୂଆଦିଲ୍ଲୀ: ଫ୍ରାନ୍ସର ଏଭିଆନ୍ଠାରେ ଚାଲିଥିବା ଜି-୭ ଶିଖର ସମ୍ମିଳନୀରୁ ବିଶ୍ୱବାସୀଙ୍କୁ ଏକ ଶକ୍ତ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମଙ୍ଗଳବାର ଅନୁଷ୍ଠିତ ଏହି ହାଇ-ପ୍ରୋଫାଇଲ୍ ବୈଠକରେ ପିଏମ୍ ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପସ୍ଥିତିରେ ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉଠାଇଛନ୍ତି। ଆମେରିକୀୟ ଆକ୍ରମଣରେ ୩ ଜଣ ଭାରତୀୟ ନାବିକଙ୍କ ପ୍ରାଣହାନି ମାମଲାରେ ସେ ସିଧାସଳଖ ନିଜର ଆପତ୍ତି ଜଣାଇବା ସହ ବିଶ୍ୱ ମଞ୍ଚରେ ଭାରତର ପକ୍ଷକୁ ଦୃଢ଼ ଭାବେ ଉପସ୍ଥାପନ କରିଛନ୍ତି।
ଜି-୭ ନେତାମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆନ୍ତର୍ଜାତୀୟ ସହଭାଗିତା ଏବଂ ଗ୍ଲୋବାଲ୍ ଏକଜୁଟତା କେବଳ ସେତିକିବେଳେ ସାର୍ଥକ ହେବ, ଯେତେବେଳେ ଆମେ ସମସ୍ତେ ମିଳିମିଶି ବର୍ତ୍ତମାନର ଆହ୍ୱାନଗୁଡ଼ିକର ସମାଧାନ କରିପାରିବା। ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଲାଗି ରହିଥିବା ଯୁଦ୍ଧ ଓ ତିକ୍ତତାର ସ୍ଥାୟୀ ସମାଧାନ କେବଳ ଆଲୋଚନା, କୂଟନୀତି ଏବଂ ପାରସ୍ପରିକ ସହଯୋଗ ଦ୍ୱାରା ହିଁ ସମ୍ଭବ ବୋଲି ଭାରତ ଦୃଢ଼ ଭାବେ ବିଶ୍ୱାସ କରେ।
ଟ୍ରମ୍ପଙ୍କ ପାଖରେ ବସି ଶୁଣାଇଲେ ସତ୍ୟ
ବୈଠକ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଖ ସିଟ୍ରେ ବସିଥିବା ପିଏମ୍ ମୋଦୀ କୌଣସି ଦ୍ୱିଧା ନରଖି କହିଛନ୍ତି ଆମେ ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ପାଇଁ ହେଉଥିବା ପ୍ରୟାସକୁ ସ୍ୱାଗତ କରୁଛୁ। କିନ୍ତୁ ଏହି ସଂଘର୍ଷ ଯୋଗୁଁ ପଶ୍ଚିମ ଏସିଆରେ ଥିବା ଆମର ବନ୍ଧୁ ଦେଶଗୁଡ଼ିକୁ ବ୍ୟାପକ ଧନଜୀବନ ହରାଇବାକୁ ପଡ଼ିଛି। ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍ରେ ସାମୁଦ୍ରିକ ବାଣିଜ୍ୟ ବାଧାପ୍ରାପ୍ତ ହେବା ହେତୁ ସାରା ବିଶ୍ୱର ଅର୍ଥନୀତି ପ୍ରଭାବିତ ହୋଇଛି। ସବୁଠାରୁ ଦୁଃଖଦ ବିଷୟ ହେଉଛି, ଏଥିରେ ଭାରତର ଅନେକ ନାଗରିକଙ୍କୁ ମଧ୍ୟ ନିଜର ଜୀବନ ହରାଇବାକୁ ପଡ଼ିଛି।
ନାବିକଙ୍କ ସୁରକ୍ଷା ଆମର ଦାୟିତ୍ୱ
ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ ବିଶ୍ୱ ବାଣିଜ୍ୟରେ କାର୍ଯ୍ୟରତ ନାବିକମାନଙ୍କ ସୁରକ୍ଷା ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ଯେ, ସମୁଦ୍ର ପଥରେ ସାରା ବିଶ୍ୱକୁ ପରସ୍ପର ସହ ଯୋଡ଼ୁଥିବା ନାବିକମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ। ସାମୁଦ୍ରିକ ମାର୍ଗ ଯେପରି ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ଏବଂ ନାବିକମାନେ କୌଣସି ଭୟ ନଥାଇ ନିଜର କର୍ତ୍ତବ୍ୟ କରିପାରିବେ, ତାହା ଦେଖିବା ଜରୁରୀ।