କେନ୍ଦ୍ରାପଡା: ରାଜ୍ୟରେ ଚର୍ଚ୍ଚାରେ ଥିବା ଚାମେଲି ଓଝା ବିବାଦ ଏବେ ନୂଆ ମୋଡ଼ ନେଇଛି। ଏହି ବହୁଚର୍ଚ୍ଚିତ ଘଟଣାକୁ ନେଇ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (PIL) ଦାୟର ହୋଇଛି। ମାମଲାର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ପାଇଁ ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ (SIT) ଗଠନ କରିବାକୁ ଆବେଦନରେ ଦାବି କରାଯାଇଛି।
ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର ହୋଇଥିବା ଏହି ଜନସ୍ୱାର୍ଥ ମାମଲାରେ କୁହାଯାଇଛି ଯେ, ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ଏହାର ତଦନ୍ତ ଏକ ସ୍ୱତନ୍ତ୍ର ଓ ନିରପେକ୍ଷ ସଂସ୍ଥା ଦ୍ୱାରା କରାଯିବା ଆବଶ୍ୟକ। ତଦନ୍ତ ପ୍ରକ୍ରିୟାରେ କୌଣସି ପ୍ରକାର ବିବାଦ କିମ୍ବା ସନ୍ଦେହ ନ ରହିବା ପାଇଁ SIT ଗଠନ ଜରୁରୀ ବୋଲି ଆବେଦନକାରୀ ପକ୍ଷ ଦର୍ଶାଇଛନ୍ତି।
ଏହାସହ ଘଟଣା ସମୟର ସମସ୍ତ ସିସିଟିଭି ଫୁଟେଜ୍ ସଂରକ୍ଷିତ ରଖିବାକୁ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି। ଭବିଷ୍ୟତରେ ତଦନ୍ତ ପାଇଁ ଏହି ଭିଡିଓ ପ୍ରମାଣ ଗୁରୁତ୍ୱପୂର୍ଣ୍ଣ ହୋଇପାରେ ବୋଲି ଆବେଦନରେ ଉଲ୍ଲେଖ ରହିଛି। ସେହିପରି ଚାମେଲି ଓଝାଙ୍କ ମେଡିକାଲ ରିପୋର୍ଟକୁ ମଧ୍ୟ ହାଇକୋର୍ଟରେ ଦାଖଲ କରିବାକୁ ଦାବି କରାଯାଇଛି।
କେବଳ ଏତିକି ନୁହେଁ, ରାଜ୍ୟରେ ଏଭଳି ସମ୍ବେଦନଶୀଳ ମାମଲାଗୁଡ଼ିକର ତଦନ୍ତ ପାଇଁ ସ୍ପଷ୍ଟ ଗାଇଡ୍ଲାଇନ୍ ପ୍ରସ୍ତୁତ କରିବାକୁ ମଧ୍ୟ ଜନସ୍ୱାର୍ଥ ମାମଲାରେ ଦାବି ଉଠିଛି। ଏହି ମାମଲା ହାଇକୋର୍ଟରେ ପହଞ୍ଚିବା ପରେ ଚାମେଲି ଓଝା ବିବାଦକୁ ନେଇ ରାଜନୈତିକ ଓ ସାମାଜିକ ମହଲରେ ଚର୍ଚ୍ଚା ଆହୁରି ଜୋର ଧରିଛି। ଏବେ ହାଇକୋର୍ଟ ଏହି ଆବେଦନ ଉପରେ କେଉଁ ନିଷ୍ପତ୍ତି ନେଉଛନ୍ତି ଏବଂ SIT ତଦନ୍ତକୁ ନେଇ କି ନିର୍ଦ୍ଦେଶ ଦେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।