ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ବିକାଶକୁ ମିଳିଛି ବଡ଼ ବଳ। ରାଜ୍ୟର ୯ଟି ଜିଲ୍ଲାରେ ୨୦ଟି ମେଗା ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ୪୫ତମ ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷ (HLCA) ବୈଠକରେ ମୋଟ ୭୬,୬୧୧.୮୬ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ସବୁଜ ସଙ୍କେତ ମିଳିଛି।
ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରାଜ୍ୟରେ ୫୦,୫୧୭ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ରତ୍ନପଥର, ନବୀକରଣଯୋଗ୍ୟ ଶକ୍ତି, ମହାକାଶ ଓ ପ୍ରତିରକ୍ଷା, ବିରଳ ଖଣିଜ ପଦାର୍ଥ, ଇସ୍ପାତ ଓ ଶକ୍ତି କ୍ଷେତ୍ରରେ ଏହି ବୃହତ ନିବେଶ ଆସିବ।
ସବୁଠାରୁ ଚର୍ଚ୍ଚିତ ପ୍ରକଳ୍ପ ମଧ୍ୟରେ ରହିଛି ଖୋର୍ଦ୍ଧାରେ ‘ଲ୍ୟାବ୍-ଗ୍ରୋନ୍ ହୀରା’ ନିର୍ମାଣ ୟୁନିଟ୍। ତିନୋଟି ବଡ଼ କମ୍ପାନୀ ଏଠାରେ ପ୍ରାୟ ୯,୮୧୭ କୋଟି ଟଙ୍କା ନିବେଶ କରିବେ, ଯାହା ଦ୍ୱାରା ୮,୧୦୦ ଲୋକଙ୍କୁ ଚାକିରି ମିଳିବ।
ଗଞ୍ଜାମ ଜିଲ୍ଲାରେ ଟାଟା ପାୱାର୍ ରିନିଉଏବଲ୍ ଏନର୍ଜି ୧୦,୦୦୦ କୋଟି ଟଙ୍କାରେ ସୋଲାର୍ ପିଭି ସେଲ୍ ଓ ୱେଫର୍ ନିର୍ମାଣ କାରଖାନା ସ୍ଥାପନ କରିବ। ଏହା ମାଧ୍ୟମରେ ୫,୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ। ଏହାସହ ସାତ୍ୱିକ ସୋଲାର୍ ମଧ୍ୟ ଜିଲ୍ଲାରେ ବଡ଼ ନିବେଶ କରିବାକୁ ଯାଉଛି।
ଇସ୍ପାତ କ୍ଷେତ୍ରରେ ଯାଜପୁର, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ଏକାଧିକ ବୃହତ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ସେହିପରି ମାଲକାନଗିରିରେ ପମ୍ପଡ୍ ଷ୍ଟୋରେଜ୍ ହାଇଡ୍ରୋ ପାୱାର୍ ପ୍ରକଳ୍ପ ଓ ରାୟଗଡ଼ାରେ ଆଲୁମିନିୟମ୍ ଡାଉନଷ୍ଟ୍ରିମ୍ ୟୁନିଟ୍ ସ୍ଥାପନ ହେବ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଓଡ଼ିଶାର ଶିଳ୍ପ-ଅନୁକୂଳ ନୀତି, ଉନ୍ନତ ଭିତ୍ତିଭୂମି ଓ ସରଳ ବ୍ୟବସାୟ ବ୍ୟବସ୍ଥା ନିବେଶକଙ୍କ ବିଶ୍ୱାସ ବଢ଼ାଇଛି। ଏହି ନିବେଶ ରାଜ୍ୟର ଶିଳ୍ପାୟନ, ରୋଜଗାର ଓ ଆର୍ଥିକ ବିକାଶକୁ ନୂଆ ଗତି ଦେବ।