ଭୁବନେଶ୍ବର: ସନ୍ଧ୍ୟାର ସୁଯୋଗ ନେଇ ସୁନା ଦୋକାନରୁ ଲୁଟ୍ କରିଥିବା ଅପରାଧୀମାନେ ମଧ୍ୟରାତ୍ରୀରେ ପୋଲିସର ଏନ୍କାଉଣ୍ଟର ସାମ୍ନା କରିଛନ୍ତି। ଅନୁଗୁଳ ପୋଲିସର ଗୁଳିମାଡ଼ରେ ମହାରାଷ୍ଟ୍ରର ଦୁଇ ଜଣ ଲୁଟେରା ଆହତ ହୋଇଛନ୍ତି। ଲୁଟେରା ସଚିନର ଡାହାଣ ଗୋଡ଼ରେ ଏବଂ ପ୍ରକାଶର ବାମ ଗୋଡ଼ ଗୁଳି ବାଜିଛି। ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।
ପୋଲିସର ସୂଚନା ଅନୁଯାୟୀ ୫ଜଣ ଲୁଟେରା ଗତକାଲି ରାତିରେ ତାଳଚେର ହାଟତୋଟାଛକସ୍ଥିତ ଶ୍ରୀ ବାଲାଜୀ ଗୋଲ୍ଡ ରିଫାଇନାରୀରୁ ବିପୁଳ ପରିମାଣର ସୁନା ଓ ରୁପା ଲୁଟି ଫେରାର ହୋଇଯାଇଥିଲେ। ଦୋକାନ ମାଲିକଙ୍କ ଏତଲା କ୍ରମେ ପୁଲିସ ତୁରନ୍ତ ଛାନ୍ଭିନ କରିଥିଲା। ଏବେ ଲୁଟ ସୁନା ଜବତ କରିବା ସହିତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଚଢ଼ାଉ କରିଥିଲା।
ଅନୁଗୁଳ ଜିଲ୍ଲା ହଣ୍ଡପା ନିକଟରେ ପୁଲିସ ଉପରକୁ ଲୁଟେରାମାନେ ଗୁଳି ଚାଳନା କରିଥିଲେ। ପୁଲିସର ପାଲଟା ଗୁଳିମାଡ଼ରେ ଦୁଇ ଅଭିଯୁକ୍ତ ଆହତ ହୋଇଛନ୍ତି। ଲୁଟେରାମାନେ ପୁଲିସ କର୍ମଚାରୀଙ୍କ ଉପରେ ଗୁଳି ଚଳାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ପୁଲିସର ଜବାବୀ କାର୍ଯ୍ୟାନୁଷ୍ଠାନରେ ଦୁଇ ଜଣ ଅପରାଧୀ ଆହତ ହୋଇଥିଲେ। ଉଭୟଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା। ପରେ ସେମାନଙ୍କର ଅବସ୍ଥା ଗୁରୁତର ଥିବାର କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ପୁଲିସ୍ ୪ଜଣ ଅଭିଯୁକ୍ତଙ୍କ ନିକଟରୁ ୨ ଟି ଦେଶୀ ବନ୍ଧୁକ ସମେତ କାର୍ ଜବତ୍ କରିଛି। ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।
ଅଧିକ ପଢ଼ନ୍ତୁ: ୫୦,୦୦୦ ଟଙ୍କା ଲାଞ୍ଜ ନେବା ଅଭିଯୋଗରେ ପୋଲିସ ଏଏସଆଇ, ଗୃହରକ୍ଷୀ ଗିରଫ