ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଥିବା ଓଡ଼ିଶାବାସୀଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ରାଜ୍ୟରେ ପୁଣିଥରେ ସକ୍ରିୟ ହେବାକୁ ଯାଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା ସପ୍ତାହରେ ବର୍ଷାର ପରିମାଣ ବଢ଼ିବା ସହ ଅଧିକାଂଶ ଜିଲ୍ଲାରେ ବ୍ୟାପକ ବର୍ଷା ହେବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଜୁନ୍ ୨୪ କିମ୍ବା ୨୫ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଉପକୂଳ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହି ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ବର୍ଷାର ପରିମାଣ ଓ ବିସ୍ତୃତି ଉଭୟ ବଢ଼ିପାରେ।
ବିଶେଷକରି ଉପକୂଳ ଓଡ଼ିଶା, ଉତ୍ତର ଓଡ଼ିଶା ଏବଂ କିଛି ଅଭ୍ୟନ୍ତରୀଣ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। କେତେକ ସ୍ଥାନରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ମଧ୍ୟ ହୋଇପାରେ। ଫଳରେ ଗତ କିଛି ଦିନ ଧରି ଅନୁଭୂତ ହେଉଥିବା ଅସହ୍ୟ ଗରମ ଓ ଗୁଳୁଗୁଳିରୁ ଲୋକଙ୍କୁ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି।
କେବଳ ସାଧାରଣ ଲୋକ ନୁହେଁ, କୃଷକମାନେ ମଧ୍ୟ ଏହି ବର୍ଷାକୁ ଚାତକ ପରି ଅପେକ୍ଷା କରି ରହିଛନ୍ତି। ଧାନ ଚାଷ ଋତୁ ଆରମ୍ଭ ହୋଇଥିବାରୁ ପର୍ଯ୍ୟାପ୍ତ ବର୍ଷା ହେଲେ ଚାଷ କାର୍ଯ୍ୟ ତ୍ୱରାନ୍ୱିତ ହେବ। ଏହା ସହ ଜଳଭଣ୍ଡାର, ପୋଖରୀ ଓ ନଦୀନାଳର ଜଳସ୍ତର ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ପାଣିପାଗ ବିଶେଷଜ୍ଞଙ୍କ ମତରେ, ଲଘୁଚାପର ତୀବ୍ରତା ଓ ଗତିପଥ ଉପରେ ବର୍ଷାର ପରିମାଣ ନିର୍ଭର କରିବ। ତେବେ ବର୍ତ୍ତମାନର ପାଣିପାଗ ମଡେଲ୍ ଆକଳନ ଅନୁଯାୟୀ ଜୁନ୍ ଶେଷ ସପ୍ତାହରେ ଓଡ଼ିଶାରେ ବର୍ଷା ଜୋର ଧରିବା ସମ୍ଭାବନା ଅଧିକ। ଯାହା ରାଜ୍ୟର ପାଣିପାଗରେ ଏକ ବଡ଼ ପରିବର୍ତ୍ତନ ଆଣିପାରେ।