ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ କମିଶନ ରିପୋର୍ଟ ହଜିଯାଇଥିବା ଘଟଣା ରାଜ୍ୟ ରାଜନୀତିରେ ନୂଆ ଝଡ଼ ସୃଷ୍ଟି କରିଛି। ଏହି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଜେରାର ସମ୍ମୁଖୀନ ହୋଇପାରନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବୟାନ ଚର୍ଚ୍ଚାକୁ ଆହୁରି ତେଜ କରିଛି।
ଗୃହ ବିଭାଗ ପକ୍ଷରୁ କ୍ୟାପିଟାଲ ଥାନାରେ ଦାଖଲ ଅଭିଯୋଗ ଅନୁସାରେ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଓ ପରବର୍ତ୍ତୀ ଦଙ୍ଗା ଘଟଣା ସମ୍ପର୍କିତ ଜଷ୍ଟିସ୍ ଏସ୍. ନାଇଡୁ କମିଶନ ରିପୋର୍ଟ ଏବଂ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ କେନ୍ଦ୍ରାଞ୍ଚଳ RDCଙ୍କ ତଦନ୍ତ ରିପୋର୍ଟ ନିଖୋଜ ହୋଇଯାଇଛି।
ଏହି ପ୍ରସଙ୍ଗରେ ସୁରେଶ ପୂଜାରୀ କହିଛନ୍ତି ଯେ, ୨୦୨୪ ଜୁନ୍ ୪ ତାରିଖରେ ଫାଇଲଗୁଡ଼ିକ CMOକୁ ଯାଇଥିବାର ସ୍ପଷ୍ଟ ପ୍ରମାଣ ରହିଛି। ଗୃହ ବିଭାଗରୁ ଫାଇଲ୍ ନମ୍ବର ସହ ପଠାଯାଇଥିବା ଏହି ଦସ୍ତାବିଜଗୁଡ଼ିକ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ଦେଇ CMOରେ ପହଞ୍ଚିଥିଲା ଏବଂ ଜଣେ ଅନୁ ସଚିବ ତାହାକୁ ଗ୍ରହଣ କରିଥିବାର ରେକର୍ଡ ମଧ୍ୟ ରହିଛି।
“ଫାଇଲ୍ ଯାଇଥିବାର ପ୍ରମାଣ ଅଛି, କିନ୍ତୁ ଫେରିଥିବାର କୌଣସି ପ୍ରମାଣ ନାହିଁ। ତେଣୁ ଏହା କେବଳ ଫାଇଲ୍ ହଜିବା ଘଟଣା ନୁହେଁ, ବରଂ ଚୋରି ହୋଇଥିବା ସନ୍ଦେହ ଉଠୁଛି,” ବୋଲି ମନ୍ତ୍ରୀ କହିଛନ୍ତି। ଏବେ ତଦନ୍ତ କେଉଁ ଦିଗକୁ ଯାଉଛି ଓ କିଏ କିଏ ଜେରାର ସମ୍ମୁଖୀନ ହେବେ, ସେଥିପାଇଁ ସମସ୍ତଙ୍କ ନଜର ରହିଛି।