ଭୁବନେଶ୍ୱର: ଆଜି ପବିତ୍ର ଗୁରୁ ପଞ୍ଚମୀ ତିଥିରେ ବୈଦିକ ରୀତିନୀତି ଅନୁସାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ମା' ପାର୍ବତୀଙ୍କ ଦିବ୍ୟ ବିବାହ ସମ୍ପନ୍ନ ହେବ। ଶୀତଳ ଷଷ୍ଠୀ ଅବସରରେ ସମଗ୍ର ଏକାମ୍ର କ୍ଷେତ୍ର ଉତ୍ସବମୁଖର ହୋଇଉଠିଛି। ଲିଙ୍ଗରାଜ ଓ କେଦାରଗୌରୀ ମନ୍ଦିର ରଙ୍ଗିନ ଆଲୋକମାଳା, ଫୁଲ ଓ ସୁସଜ୍ଜିତ ତୋରଣରେ ସଜେଇ ଦିଆଯାଇଥିବା ବେଳେ ଭକ୍ତମାନଙ୍କ ମଧ୍ୟରେ ଦେଖାଦେଇଛି ଅପାର ଉତ୍ସାହ।
ଗତକାଲି ସନ୍ଧ୍ୟାଧୂପ ନୀତି ପରେ ଶ୍ରୀଲିଙ୍ଗରାଜଙ୍କ ପକ୍ଷରୁ ଅଷ୍ଟଚଣ୍ଡୀଙ୍କୁ ପାରମ୍ପରିକ ଭାବେ ବିବାହ ନିମନ୍ତ୍ରଣ କରାଯାଇଥିଲା। ଫୁଲ, ଚନ୍ଦନ, ବେଲପତ୍ର ଓ ମହାପ୍ରସାଦ ଅର୍ପଣ କରି ଦେବ ବିବାହର ମଙ୍ଗଳକୃତ୍ୟ ସମ୍ପନ୍ନ ହୋଇଥିଲା। ସେହିପରି କେଦାରଗୌରୀ ମନ୍ଦିରରେ ମଧ୍ୟ ମଙ୍ଗନ ବିଧି ଓ ଅଷ୍ଟପ୍ରହର ନାମଯଜ୍ଞ ଆୟୋଜିତ ହୋଇଛି।
‘ଯଥା ଦେହି ତଥା ଦେବେଂ’ ନୀତିକୁ ଅନୁସରଣ କରି ମଣିଷଙ୍କ ବିବାହ ପରି ଦେବଦମ୍ପତିଙ୍କ ବିବାହ ମଧ୍ୟ ସମସ୍ତ ରୀତିନୀତି ସହ ପାଳନ କରାଯିବ। ଆଜି ରାତିରେ ଶ୍ରୀଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ବରବେଶରେ ସୁସଜ୍ଜିତ ହୋଇ ବରଯାତ୍ରୀଙ୍କ ସହ କେଦାରଗୌରୀ ମନ୍ଦିରକୁ ଯିବେ। ପାରମ୍ପରିକ ବାଦ୍ୟ, ଘଣ୍ଟ, ଶଙ୍ଖଧ୍ୱନି ଓ ରୋଷଣିରେ ଝଲମଲ କରିବ ବରଯାତ୍ରାର ପଥ।
ବିଧି ଅନୁଯାୟୀ ରାତି ସାଢ଼େ ୧୧ଟା ସୁଦ୍ଧା ବରଯାତ୍ରା ଲିଙ୍ଗରାଜ ମନ୍ଦିରରୁ ବାହାରି ବଢେଇବାଙ୍କ ଛକ, ତିନିମୁଣ୍ଡିଆ ଛକ ଓ ଏକାମ୍ର ବନ ଦେଇ କେଦାରଗୌରୀ ମନ୍ଦିରରେ ପହଞ୍ଚିବ। ସେଠାରେ ବରଙ୍କୁ ବାଟବରଣୀ କରାଯିବା ସହ ବରଯାତ୍ରୀଙ୍କୁ ସ୍ୱାଗତ କରାଯିବ।
ଅନ୍ୟପଟେ ମା' ପାର୍ବତୀଙ୍କୁ କନ୍ୟା ବେଶରେ ସଜାଇ ବିବାହ ମଣ୍ଡପକୁ ଅଣାଯିବ। ମନ୍ଦିର ଜ୍ୟୋତିଷଙ୍କ ନିର୍ଦ୍ଧାରିତ ସମୟ ଅନୁସାରେ ରାତି ୧୨ଟାରୁ ସାଢ଼େ ୩ଟା ମଧ୍ୟରେ ପବିତ୍ର ହାତଗଣ୍ଠି ପଡ଼ିବ। ଏହାପରେ କଉଡ଼ି ଖେଳ, ସ୍ନାନ, ଭେଟ ଆଳତୀ ଓ ଭୋଗ ନୀତି ସମ୍ପନ୍ନ ହେବ।
ଶୁକ୍ରବାର ସକାଳୁ ନବଦମ୍ପତିଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ। ସେହିପରି ରାତି ୧୦ଟାରେ କନକାଞ୍ଜଳି ପରେ ମା' ପାର୍ବତୀଙ୍କ ବିଦାୟ ଓ ନବଦମ୍ପତିଙ୍କ ପ୍ରତ୍ୟାବର୍ତ୍ତନ ଯାତ୍ରା ଅର୍ଥାତ୍ ଶୀତଳ ଷଷ୍ଠୀ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଦେବଦମ୍ପତିଙ୍କ ଏହି ଅଲୌକିକ ମିଳନକୁ ନେଇ ଏବେ ଆଧ୍ୟାତ୍ମିକ ଉଲ୍ଲାସରେ ଭାସୁଛି ସମଗ୍ର ଏକାମ୍ର କ୍ଷେତ୍ର।