ଝାରସୁଗୁଡ଼ା: ଜିଲ୍ଲା କାରାଗାର ଭିତରେ ଚାଲିଥିଲା ନିଶା କାରବାର। ଗୁରୁବାର ଝାରସୁଗୁଡ଼ା ଜିଲ୍ଲା କାରାଗାରରେ ପୋଲିସ ପକ୍ଷରୁ ଏକ ଅଚାନକ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ କାରାଗାର ଭିତରୁ ଗଞ୍ଜେଇ, ନିଶା ବଟିକା ସମେତ ବହୁ ପରିମାଣର ନିଷିଦ୍ଧ ସାମଗ୍ରୀ ଜବତ ହୋଇଥିବା ଜଣାପଡ଼ିଛି।
ଝାରସୁଗୁଡ଼ା ଏସ୍ପିଙ୍କ ସିଧାସଳଖ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ପୋଲିସ ଦଳ କାରାଗାରର ବିଭିନ୍ନ ବ୍ୟାରାକ, ୱାର୍ଡ, ସାଧାରଣ ସ୍ଥାନ, କଏଦୀଙ୍କ ବ୍ୟବହୃତ ସାମଗ୍ରୀ, ଶଯ୍ୟା ଏବଂ ଶୌଚାଳୟ ଆଦିରେ ତନାଘନା ତଲାସି କରିଥିଲେ। ଏହି ସମୟରେ ବିଡ଼ି, ତମାଖୁ, ଗୁଟଖା, ଦିଆସିଲି, ରେଜର ବ୍ଲେଡ୍, ଲାଇଟର, ଗଞ୍ଜେଇ, ନିଶା ବଟିକା ଓ ଅନ୍ୟାନ୍ୟ ବେଆଇନ ସାମଗ୍ରୀ ଜବତ କରାଯାଇଛି।
ଚଢ଼ାଉ ପରେ କାରାଗାରର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ସମୀକ୍ଷା କରାଯାଇଥିଲା। ସିସିଟିଭି ନଜରଦାରି, କଏଦୀ ପରିଚାଳନା ଓ ଦର୍ଶନାର୍ଥୀଙ୍କ ଯାଞ୍ଚ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏସ୍ପି କାରା କର୍ତ୍ତୃପକ୍ଷଙ୍କୁ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ, ଦୀର୍ଘଦିନ ଧରି କାରାଗାର ଭିତରକୁ ନିଶାଦ୍ରବ୍ୟ ଓ ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀ ପ୍ରବେଶ କରୁଥିବା ନେଇ ପୋଲିସ ପାଖରେ ଗୁପ୍ତ ସୂଚନା ଥିଲା। କେତେକ ଅସାଧୁ କର୍ମଚାରୀଙ୍କ ସହଯୋଗରେ ଏହି କାରବାର ଚାଲିଥିବା ସନ୍ଦେହ ମଧ୍ୟ ପ୍ରକାଶ ପାଇଛି।
ଏନେଇ ଏସ୍ପି କହିଛନ୍ତି ଯେ, କାରାଗାର ଭିତରକୁ କିପରି ନିଶାଦ୍ରବ୍ୟ ପହଞ୍ଚୁଥିଲା ସେନେଇ ବିସ୍ତୃତ ତଦନ୍ତ କରାଯିବ। ଘଟଣାରେ ଯେଉଁମାନେ ସଂପୃକ୍ତ ଥିବେ, ସେମାନେ କଏଦୀ, କର୍ମଚାରୀ କିମ୍ବା ବାହାର ଲୋକ ହୁଅନ୍ତୁ, ସମସ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।