ରାୟପୁର: ଛତିଶଗଡ଼ରେ ସାମାନ୍ୟ ବାଲି ଖନନ ବିବାଦକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ବିଜେପି ନେତାଙ୍କ ସମେତ ୩ ଜଣଙ୍କୁ କାର୍ ଭିତରେ ଜିଅନ୍ତା ଜାଳି ଦେଲେ ଶତ୍ରୁ ପକ୍ଷ । ଆଉ ୨ ଜଣ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଗମ୍ଭୀର ରହିଛି । ମୃତକମାନେ ହେଲେ ମଧ୍ୟରେ ବିଜେପି ନେତା ତଥା ପୂର୍ବତନ ପଞ୍ଚାୟତ ଉପାଧ୍ୟକ୍ଷ ଭରତ ସିଂହ ଓରଫ୍ ଲଲ୍ଲା ସିଂହ (୬୦), ବିରେନ୍ଦ୍ର ପ୍ରତାପ ସିଂହ (୩୨) ଏବଂ ନାଗେନ୍ଦ୍ର ସିଂହ (୫୩) । ଅନ୍ୟ ଦୁଇ ଜଣ ଗୁରୁତରଙ୍କୁ ରାୟପୁର ପଠାଇ ଦିଆଯାଇଛି ।
ପୋଲିସର ସୂଚନା ମୁତାବକ, କୋରିଆ ଜିଲ୍ଲାର ନୌଗାଇ ଗ୍ରାମରେ ଗୋଟିଏ ତ୍ରିପାଠୀ ପରିବାର ଏବଂ ଠାକୁର ପରିବାର ମଧ୍ୟରେ ବାଲି ଖୋଳାକୁ ନେଇ ଦୀର୍ଘ ଦିନରୁ ବିବାଦ ଲାଗି ରହିଥିଲା । ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ଦଶଟା ସମୟରେ ଦୁଇ ପକ୍ଷଙ୍କ ମଧ୍ୟରେ ପୁଣି ଥରେ ପ୍ରବଳ ଝଗଡ଼ା ସହିତ ମାରପିଟ ହେଲା । ଏହାରି ମଧ୍ୟରେ ଫର୍ଚ୍ୟୁନର ଗାଡ଼ିରେ ନିଆଁ ଲାଗି ଯାଇଥିଲା । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଭରତ ସିଂହ ଜିବନ୍ତ ଦଗ୍ଧ ହୋଇଯାଇଥିଲେ । ପରେ ନାଗେନ୍ଦ୍ର ସିଂହଙ୍କୁ ରାୟପୁର ସ୍ଥାନାନ୍ତର କରାଯାଉଥିବାବେଳେ ଅଧାରାସ୍ତାରେ ପ୍ରାଣ ବାୟୁ ଉଡ଼ିଯାଇଥିଲା । ଖାଲି ସେତିକି ପାଖରେ ଥିବା ସ୍କୋଡ଼ା କାରକୁ ମଧ୍ୟ ଟାର୍ଗେଟ୍ କରାଯାଇଥିଲା । ସେଥିରେ ବିରେନ୍ଦ୍ରଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଥିଲା । ଅମ୍ବିକାପୁର ହସ୍ପିଟାଲରେ ମୃତ୍ୟୁ ତାଙ୍କର ହୋଇଥିଲା । ସେଥିରେ ଥିବା ଅନ୍ୟ ଦୁଇ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଅନ୍ୟ ଦୁଇ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ରାୟପୁର ସ୍ଥାନାନ୍ତର କରାଯାଇଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ କିଛି ଲୋକ ଫର୍ଚ୍ୟୁନର କାର ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ତଥାପି ନିଆଁ କେମିତି ଲାଗିଲା ତାହା ପୋଲିସ ସ୍ପଷ୍ଟ କରି ନାହିଁ । ସାଇଣ୍ଟିଫିକ୍ ଟିମର ତଦନ୍ତ ପରେ ତାହା ସ୍ପଷ୍ଟ ହେବ ।
ଏହି ଘଟଣା ସମ୍ପର୍କରେ ସୋନହତ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି। ଆଇଜିଙ୍କ ସୂଚନା ଅନୁସାରେ ପଚରାଉଚରା ପାଇଁ ଚାରି ଜଣଙ୍କୁ ଅଟକ ରଖାଯାଇ ପରେ ଗିରଫ କରାଯାଇଛି । ବାକି ଛଅ ଜଣ ପଳାତକ ସନ୍ଦିଗ୍ଧଙ୍କୁ ଖୋଜା ଚାଲିଛି । ସେମାନଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ଆଇଜି କହିଛନ୍ତି । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଜାରି ରହିଥିଲା ଏବଂ ଗତକାଲି ମଧ୍ୟ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପୂର୍ବରୁ ପକ୍ଷମାନଙ୍କ ମଧ୍ୟରେ ବିବାଦ ଥିବାରୁ ଆମେ ମୂଳ ବିବାଦରେ ପୁଙ୍ଖାନୁପୁଙ୍ଖ ତର୍ଜମା ଚାଲିଛି । ଗତକାଲିର ଘଟଣାରେ, ପୋଡ଼ିଯିବାରୁ ଘଟଣାସ୍ଥଳରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ ଏବଂ ଅନ୍ୟ ଚାରି ଜଣଙ୍କୁ ଡାକ୍ତରୀ ଚିକିତ୍ସା ପାଇଁ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଜନସାଧାରଣଙ୍କୁ ଶାନ୍ତି ବଜାୟ ରଖିବାକୁ ଏବଂ ଆଇନ ସହିତ ସହଯୋଗ କରିବାକୁ ପୋଲିସ ନିବେଦନ କରିଛି । ଅଭିଯୁକ୍ତଙ୍କ ବିରୁଦ୍ଧରେ ଯଥାସମ୍ଭବ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।