କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ବହୁଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କୁ ନେଇ ଚାଲିଥିବା ବିବାଦ ଏବେ ନୂଆ ମୋଡ଼ ନେଇଛି। ଘଟଣାକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ମହାକାଳପଡ଼ା ବିଧାୟକ ଦୁର୍ଗାପ୍ରସନ୍ନ ନାୟକ। ଚାମେଲିଙ୍କ ସପକ୍ଷରେ ବୟାନ ଦେଇ ସେ କହିଛନ୍ତି ଯେ, “ସାନ ଭଉଣୀ ଚାମେଲି ବିରୋଧୀଙ୍କ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି। କାମ କରିବା ପରିବର୍ତ୍ତେ କିଛି ଲୋକ କେବଳ କ୍ୟାମେରା ଆଗରେ ରହିବାକୁ ଚାହୁଁଛନ୍ତି।”
ଗତ କିଛି ଦିନ ଧରି ଚାମେଲି ଓଝାଙ୍କ ନାମ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ମହାକାଳପଡ଼ା ବ୍ଲକରେ ବିଡିଓଙ୍କ ସହ ଆଲୋଚନା ସମୟରେ ସୃଷ୍ଟି ହୋଇଥିବା ବିବାଦ ପରେ ତାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଥିଲା। ଏହାପରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ କେନ୍ଦ୍ରାପଡ଼ା ଉପକାରାଗାରକୁ ପଠାଯାଇଥିଲା। ଅସୁସ୍ଥ ହେବାରୁ ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ଅନ୍ୟପଟେ ଚାମେଲିଙ୍କ ଅଭିଯୋଗ ମଧ୍ୟ ଗୁରୁତର। ସେ କହିଛନ୍ତି, ବ୍ଲକ କାର୍ଯ୍ୟାଳୟରେ ତାଙ୍କୁ ଚାପ ପକାଯାଇଥିଲା ଏବଂ ମୋବାଇଲରେ ଭିଡିଓ କରିବା ପରେ ଧମକ ଦିଆଯାଇଥିଲା। ଏପରିକି ଥାନାକୁ ନେବା ସମୟରେ ପୋଲିସ କର୍ମଚାରୀମାନେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ମଧ୍ୟ କରିଛନ୍ତି। ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନ୍ୟାୟ ଦାବି କରିଛନ୍ତି।
ତେବେ ବିଡିଓ ଏବଂ ପୋଲିସର ଅଭିଯୋଗ ସମ୍ପୂର୍ଣ୍ଣ ଭିନ୍ନ। ସରକାରୀ କାମରେ ବାଧା ସୃଷ୍ଟି ଓ ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିଥିବା ନେଇ ଚାମେଲିଙ୍କ ବିରୋଧରେ ମାମଲା ରହିଛି।
ଏହି ଘଟଣା ଏବେ ରାଜନୈତିକ ରଙ୍ଗ ନେଇଥିବା ବେଳେ କଂଗ୍ରେସ ସମେତ ବିଭିନ୍ନ ସଂଗଠନ ରାସ୍ତାକୁ ଓହ୍ଲାଇଛନ୍ତି। ମହିଳା ସଶକ୍ତିକରଣର ନାରା ମଧ୍ୟରେ ଚାମେଲି ଓଝାଙ୍କ ଗିରଫ ଘଟଣା ସରକାରଙ୍କୁ ଅସୁବିଧାରେ ପକାଇଥିବା ବେଳେ, ସତ୍ୟ କାହା ପକ୍ଷରେ ଅଛି ତାହାକୁ ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି।