ଜଗତସିଂହପୁର ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା। ଛଅ ବର୍ଷର ଦିବ୍ୟାଙ୍ଗ ପୁଅ ଓ ସ୍ତ୍ରୀଙ୍କୁ ଅସହାୟ ଅବସ୍ଥାରେ ଛାଡ଼ି ଅନ୍ୟ ଜଣେ ଯୁବତୀଙ୍କ ସହ ଫେରାର ହୋଇଯାଇଛନ୍ତି ସ୍ୱାମୀ। ଏବେ ନ୍ୟାୟ ଓ ଭରଣପୋଷଣ ପାଇଁ ପୋଲିସ ଓ ପ୍ରଶାସନର ଦ୍ୱାରକୁ ଘୁରୁଛନ୍ତି ପୀଡ଼ିତା ମହିଳା।
ଘଟଣା ମୁତାବିକ, ବାଲିକୁଦା ଥାନା ଅନ୍ତର୍ଗତ ନାଲରା ଗାଁର ବିସ୍ମୟନୀ ସ୍ୱାଇଁଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ୱାମୀ ସ୍ୱରୂପ ସ୍ୱାଇଁ ବିନା ଛାଡ଼ପତ୍ରରେ ଗୁପ୍ତ ଭାବେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରି ତାଙ୍କ ସହ ଫେରାର ହୋଇଯାଇଛନ୍ତି। ଘରେ ରହିଯାଇଛନ୍ତି ବିସ୍ମୟନୀ ଓ ତାଙ୍କର ଛଅ ବର୍ଷର ଦିବ୍ୟାଙ୍ଗ ପୁଅ, ଯାହାର ଦେଖାଶୁଣା ଓ ଚିକିତ୍ସା ପାଇଁ ନିରନ୍ତର ସଂଘର୍ଷ କରୁଛନ୍ତି ମା’।
ଘଟଣା ପରେ ବିସ୍ମୟନୀ ବାଲିକୁଦା ଥାନାରେ ଅଭିଯୋଗ କରିଥିଲେ। ମାତ୍ର ଅଭିଯୋଗର ୨୦ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ଦୃଢ ପଦକ୍ଷେପ ନିଆଯାଇନଥିବାରୁ ସେ ଏବେ ସିଧାସଳଖ ଜଗତସିଂହପୁର ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଖିରେ ଲୁହ ଓ କୋଳରେ ଦିବ୍ୟାଙ୍ଗ ପୁଅକୁ ଧରି ସେ ପ୍ରଶ୍ନ କରିଛନ୍ତି “ଏବେ ଆମେ କେମିତି ବଞ୍ଚିବୁ?”
ଅନ୍ୟପଟେ ଘଟଣାକୁ ନେଇ ଆଉ ଏକ ନୂଆ ମୋଡ଼ ଆସିଛି। ସ୍ୱରୂପଙ୍କ ସହ ଯାଇଥିବା ଯୁବତୀଙ୍କ ପରିବାର ମଧ୍ୟ ତାଙ୍କ ଝିଅକୁ ଅପହରଣ କରାଯାଇଥିବା ଅଭିଯୋଗ ଆଣିଛନ୍ତି।
ଗୋଟେ ପଟେ ଦିବ୍ୟାଙ୍ଗ ଶିଶୁର ଭବିଷ୍ୟତ, ଅନ୍ୟପଟେ ଦ୍ୱିତୀୟ ବିବାହ ଓ ଅପହରଣ ଅଭିଯୋଗ ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ, ପୀଡ଼ିତାଙ୍କ ନ୍ୟାୟ ଅପେକ୍ଷା କେବେ ଶେଷ ହେବ ତାହା ଦେଖିବାକୁ ବାକି ରହିଲା।