ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ତିନି ଜଣିଆ କମିଟି ଗଠନ ହୋଇଛି । ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ସଂସ୍କୃତି ବିଭାଗ ସଚିବ ବିଜୟ କେତନ ଉପାଧ୍ୟାୟ ଏବଂ ସାଧାରଣ ପ୍ରଶାସନ ବିଭାଗ ଉପ ସଚିବ ସ୍ମିତା ପାଣି ସଦସ୍ୟ ରହିଛନ୍ତି ।
ଏହି କମିଟି ତ୍ରୁଟି ପାଇଁ କେଉଁ ଅଧିକାରୀ/ସଂସ୍ଥା ଦାୟୀ ତାହା ଯାଞ୍ଚ କରି ନିର୍ଣ୍ଣୟ କରିବେ । ଆସନ୍ତା ୭ ଦିନ ମଧ୍ୟରେ ଏହି କମିଟି ରିପୋର୍ଟ ଦାଖଲ କରିବେ ଏବଂ କମିଟିର ରିପୋର୍ଟ ଆଧାରରେ ଦାୟୀ ଅଧିକାରୀ କିମ୍ବା ସଂସ୍ଥା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଅନ୍ୟପକ୍ଷରେ ଆଜି ଏସସିଇଆରଟି ନିର୍ଦ୍ଦେଶିକା ମଧୁସ୍ମିତା ସାହୁ କହିଛନ୍ତି, ଚଳିତ ବର୍ଷ ପାଇଁ ନୂଆ ବହି ଛପା ହେବ ନାହିଁ। ବର୍ତ୍ତମାନ ଛପା ହୋଇଥିବା ବହିରେ ଯେଉଁ ତ୍ରୁଟି ଚିହ୍ନଟ ହୋଇଛି, ସେଗୁଡ଼ିକୁ ସଂଶୋଧନ କରି ଏକ ବିଶେଷ ‘ସଂଶୋଧନ ପୁସ୍ତିକା’ ପ୍ରସ୍ତୁତ କରାଯାଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଠାଯାଇଛି। ଶିକ୍ଷକମାନଙ୍କୁ ମଧ୍ୟ ଏନେଇ ଅବଗତ କରାଯାଇଛି । ୨୦୨୭-୨୮ ଶିକ୍ଷାବର୍ଷରୁ ସମ୍ପୂର୍ଣ୍ଣ ସଂଶୋଧିତ ଓ ତ୍ରୁଟିମୁକ୍ତ ପାଠ୍ୟପୁସ୍ତକ ପ୍ରକାଶ ପାଇବ ବୋଲି ସେ କହିଛନ୍ତି । ।
ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଆଭାସୀ ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ପାଠ୍ୟ ପୁସ୍ତକ ତ୍ରୁଟି ସମ୍ପର୍କରେ ଗଭୀର କ୍ଷୋଭ ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ଏହି ତ୍ରୁଟି ସୁଧାରିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ କମିଟି ଗଠନ କରାଯାଇ ଏହି ତ୍ରୁଟି ପାଇଁ କେଉଁ ଅଧିକାରୀ/ସଂସ୍ଥା ଦାୟୀ ତାହା ନିର୍ଣ୍ଣୟ କରିବା ପାଇଁ ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।