ନୂଆଦିଲ୍ଲୀ: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ ଜି-୭ ଶିଖର ସମ୍ମିଳନୀ ଅବସରରେ ଭାରତ ଓ ଆମେରିକା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ୩୦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏହି ଆଲୋଚନା ହୋଇଥିଲା। ଏହି ହାଇପ୍ରୋଫାଇଲ୍ ବୈଠକରେ ରାଷ୍ଟ୍ରପତି ଟ୍ରମ୍ପ ଭାରତକୁ ନେଇ ଏକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି, ଯାହା ଏବେ ବିଶ୍ୱ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ଟ୍ରମ୍ପ କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଥିବା ପର୍ଯ୍ୟନ୍ତ ଯଦି ଭାରତ ଉପରେ କୌଣସି ବାହ୍ୟ ଆକ୍ରମଣ ହୁଏ, ତେବେ ଆମେରିକା ସବୁବେଳେ ଭାରତ ପଛରେ ଢାଲ ହୋଇ ଠିଆ ହେବ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା ବେଳେ ଟ୍ରମ୍ପ ଭାରତ ଓ ଆମେରିକାର ବନ୍ଧୁତାକୁ ସର୍ବୋପରି ବୋଲି ଦର୍ଶାଇଛନ୍ତି। ଟ୍ରମ୍ପ କହିଛନ୍ତି, ଯଦିଓ ଆମ ମଧ୍ୟରେ କୌଣସି ଲିଖିତ ଚୁକ୍ତିନାମା ନାହିଁ, ତଥାପି ଆମେରିକା ସବୁ ସମୟରେ ଭାରତ ସହିତ ଦୃଢ଼ତାର ସହ ଠିଆ ହେବ। କିନ୍ତୁ, ଯଦି ଭାରତରେ ମୋଦୀଙ୍କ ବଦଳରେ ଅନ୍ୟ କୌଣସି ନେତା ପ୍ରଧାନମନ୍ତ୍ରୀ ରୁହନ୍ତି, ତେବେ ମୁଁ ଏଭଳି ଗ୍ୟାରେଣ୍ଟି ଦେଇପାରିବି ନାହିଁ।
ଭାରତୀୟ ନାବିକଙ୍କ ମୃତ୍ୟୁ ପ୍ରସଙ୍ଗରେ ଟ୍ରମ୍ପଙ୍କ ପ୍ରତିକ୍ରିୟା
ଷ୍ଟ୍ରେଟ୍ ଅଫ୍ ହୋରମୁଜ୍ରେ ଆମେରିକୀୟ ଆକ୍ରମଣ ଯୋଗୁଁ ପ୍ରାଣ ହରାଇଥିବା ୩ ଜଣ ଭାରତୀୟ ନାବିକଙ୍କ ପ୍ରସଙ୍ଗରେ ମଧ୍ୟ ଟ୍ରମ୍ପ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ, ସେ ଏହି ଦୁଃଖଦ ଘଟଣା ବିଷୟରେ ଶୁଣିଛନ୍ତି। ନାବିକମାନଙ୍କର ଏହି କାର୍ଯ୍ୟ ବେଶ୍ ବିପଦପୂର୍ଣ୍ଣ ଏବଂ ଆମେରିକା ପ୍ରଶାସନ ବର୍ତ୍ତମାନ ଏହି ସମ୍ବେଦନଶୀଳ ମାମଲା ଉପରେ କାମ କରୁଛି।
ନାବିକଙ୍କ ସୁରକ୍ଷା ନେଇ ମୋଦୀଙ୍କ ସ୍ପଷ୍ଟ ଆଭିମୁଖ୍ୟ
ଅନ୍ୟପଟେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୌଥ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ନାବିକଙ୍କ ସୁରକ୍ଷା ପ୍ରସଙ୍ଗକୁ ଜୋରଦାର ଭାବେ ଉଠାଇଛନ୍ତି। ବିଭିନ୍ନ ଜଳଭାଗରେ ନିୟୋଜିତ ଥିବା ଲକ୍ଷ ଲକ୍ଷ ଭାରତୀୟ ନାବିକଙ୍କ ଜୀବନର ସୁରକ୍ଷା ଭାରତ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମୋଦୀ ସ୍ପଷ୍ଟ କରିଛନ୍ତି।
Also Read: ‘I Am The Boss’… ଜି-୭ ନେତାମାନଙ୍କ ବୈଠକରେ କହିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ