ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପ୍ରେ ଭାରତୀୟ ମହିଳା କ୍ରିକେଟ ଦଳ ଏକ ବଡ଼ ସଫଳତା ହାସଲ କରିଛି। ଦଳଗତ ଚମତ୍କାର ପ୍ରଦର୍ଶନ ବଳରେ ଟିମ୍ ଇଣ୍ଡିଆ ନେଦରଲ୍ୟାଣ୍ଡକୁ ୯୫ ରନ୍ରେ ପରାସ୍ତ କରି ଏକ ନୂଆ ଇତିହାସ ରଚିଛି। ରନ୍ ବ୍ୟବଧାନ ଦୃଷ୍ଟିରୁ ଟି-୨୦ ବିଶ୍ୱକପ୍ ଇତିହାସରେ ଏହା ହେଉଛି ଭାରତୀୟ ମହିଳା ଦଳର ସବୁଠାରୁ ବଡ଼ ବିଜୟ।
ଏହି ହାଇଭୋଲଟେଜ୍ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୨୦୯ ରନ୍ର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା। ଦଳ ପକ୍ଷରୁ ଓପନର ସ୍ମୃତି ମନ୍ଧାନା ଏବଂ ଶେଫାଳି ବର୍ମା ପ୍ରଥମ ୱିକେଟ୍ ପାଇଁ ଶତକୀୟ ଭାଗିଦାରୀ କରି ଦଳକୁ ଏକ ମଜଭୁତ ସ୍ଥିତିକୁ ନେଇଥିଲେ। ବିସ୍ଫୋରକ ବ୍ୟାଟିଂ କରି ସ୍ମୃତି ମନ୍ଧାନା ମାତ୍ର ୪୭ ବଲ୍ରୁ ୭୪ ରନ୍ର ଏକ ଦମଦାର ଇନିଂସ ଖେଳିଥିଲେ। ଏହି ଇନିଂସ ପାଇଁ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ଭାବେ ବିବେଚିତ ହୋଇଛନ୍ତି।
୧୧୪ ରନ୍ରେ ସୀମିତ ରହିଲା ନେଦରଲ୍ୟାଣ୍ଡ
୨୧୦ ରନ୍ର ଏକ ବଡ଼ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ନେଦରଲ୍ୟାଣ୍ଡ ଦଳର ଆରମ୍ଭ ବେଶ୍ ଧିମା ରହିଥିଲା। ପାୱାରପ୍ଲେ ମଧ୍ୟରେ ଦଳ ମାତ୍ର ଗୋଟିଏ ୱିକେଟ୍ ହରାଇଥିଲା। ୫ମ ଓଭରରେ ଭାରତୀୟ ବୋଲର ନନ୍ଦିନୀ ଶର୍ମା ପ୍ରତିପକ୍ଷ ଓପନର ହେଡର ସିଜର୍ସଙ୍କୁ ଆଉଟ୍ କରି ପ୍ରଥମ ସଫଳତା ଦେଇଥିଲେ। ଏହାପରେ ୮ମ ଓଭରରେ ଦୀପ୍ତି ଶର୍ମା ଅନ୍ୟତମ ଓପନର ଫେବେ ମୋଲକନବୋଆ (୧୫ ରନ୍)ଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ।
ନେଦରଲ୍ୟାଣ୍ଡ ପକ୍ଷରୁ ଅଧିନାୟିକା ବୋବେଟ୍ ଡେ ଲିଡେ ସର୍ବାଧିକ ୨୮ ରନ୍ ସଂଗ୍ରହ କରିଥିବା ବେଳେ ତାଙ୍କ ୱିକେଟ୍ ମଧ୍ୟ ନନ୍ଦିନୀ ଶର୍ମା ନେଇଥିଲେ। ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଷ୍ଟେରେ ଲରିୟନ କାଲିସ୍ ୧୮ ରନ୍ କରି ଶେଫାଳି ବର୍ମାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଏହାପରେ ନେଦରଲ୍ୟାଣ୍ଡର କୌଣସି ବି ବ୍ୟାଟର ଦୁଇ ଅଙ୍କ ଛୁଇଁପାରି ନଥିଲେ। ସମ୍ପୂର୍ଣ୍ଣ ଦଳ ୧୭.୩ ଓଭରରେ ମାତ୍ର ୧୧୪ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା।
ଶ୍ରୀ ଚରଣୀ ଓ ଶେଫାଳିଙ୍କ ଘାତକ ବୋଲିଂ
ଭାରତୀୟ ବୋଲରଙ୍କ ଘାତକ ବୋଲିଂ ସାମ୍ନାରେ ନେଦରଲ୍ୟାଣ୍ଡର ବ୍ୟାଟିଂ ଲାଇନଅପ୍ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା। ଭାରତ ପକ୍ଷରୁ ଶ୍ରୀ ଚରଣୀ ସବୁଠାରୁ ସଫଳ ବୋଲର ଭାବେ ୪ଟି ୱିକେଟ୍ ଅଖତିଆର କରିଥିଲେ। ସେହିପରି ବ୍ୟାଟିଂ ପରେ ବୋଲିଂରେ ମଧ୍ୟ କମାଲ କରି ଶେଫାଳି ବର୍ମା ୩ଟି ୱିକେଟ୍ ଏବଂ ନନ୍ଦିନୀ ଶର୍ମା ୨ଟି ୱିକେଟ୍ ନେଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଅନ୍ୟପଟେ ଷ୍ଟାର୍ ବୋଲର ଦୀପ୍ତି ଶର୍ମାଙ୍କୁ ଗୋଟିଏ ସଫଳତା ମିଳିଥିଲା।