ଗୁଜରାଟର ପବିତ୍ର ତୀର୍ଥସ୍ଥଳୀ ଦ୍ୱାରକାର ଗୋମତୀ ଘାଟରେ ଘଟିଛି ଏକ ଛାତିଥରା ଘଟଣା। ସମୁଦ୍ରର ଉତ୍ତାଳ ଢେଉ ମଧ୍ୟରେ ଜଣେ ବୃଦ୍ଧ ଭାସିଯାଉଥିବା ବେଳେ ସ୍ଥାନୀୟ ଲୋକେ ନିଜ ଜୀବନକୁ ବିପଦରେ ପକାଇ ତାଙ୍କୁ ଉଦ୍ଧାର କରିଥିଲେ। ହେଲେ ଉଦ୍ଧାର ପରେ ଘଟିଥିବା ଏକ ଘଟଣା ସୋସିଆଲ ମିଡିଆରେ ନୂଆ ଚର୍ଚ୍ଚାର ବିଷୟ ପାଲଟିଛି।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖାଯାଇଛି ଯେ, ଗୋମତୀ ଘାଟ ନିକଟରେ ଥିବା ପଥରିଆ ସିଢ଼ି ପାଖରେ ଜଣେ ବୃଦ୍ଧ ସମୁଦ୍ରର ପ୍ରବଳ ଢେଉରେ ଫସିଯାଇଥିଲେ। ମୁହୂର୍ତ୍ତକ ମଧ୍ୟରେ ଢେଉ ତାଙ୍କୁ ଭିତରକୁ ଟାଣି ନେଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ବୃଦ୍ଧଙ୍କ ଜୀବନ ବଞ୍ଚିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା।
ଏହା ଦେଖି ସେଠାରେ ଥିବା କିଛି ସାହସୀ ସ୍ଥାନୀୟ ବ୍ୟକ୍ତି ତୁରନ୍ତ ସମୁଦ୍ରକୁ ଡେଇଁ ପଡ଼ିଥିଲେ। ଉତ୍ତାଳ ଢେଉ ଓ ପଥରିଆ ଅଞ୍ଚଳ ମଧ୍ୟରେ ସେମାନେ ବୃଦ୍ଧଙ୍କ ନିକଟରେ ପହଞ୍ଚି ତାଙ୍କୁ କୂଳକୁ ଆଣିବା ପାଇଁ ସଂଘର୍ଷ କରିଥିଲେ। ଏହି ସମୟରେ ଜଣେ ଉଦ୍ଧାରକାରୀ ମଧ୍ୟ ଭାରସାମ୍ୟ ହରାଇ ପଡ଼ିଯିବାକୁ ବସିଥିଲେ। ତଥାପି ସମସ୍ତଙ୍କ ମିଳିତ ଉଦ୍ୟମରେ ଶେଷରେ ବୃଦ୍ଧଙ୍କୁ ସୁରକ୍ଷିତ ଭାବେ କୂଳକୁ ଆଣାଯାଇଥିଲା।
କିନ୍ତୁ ଘଟଣାର ସବୁଠୁ ଚର୍ଚ୍ଚିତ ଦିଗ ଥିଲା ଉଦ୍ଧାର ପରର ଦୃଶ୍ୟ। ଭିଡିଓରେ ଦେଖାଯାଇଛି, ବୃଦ୍ଧ ଜଣକ ସୁରକ୍ଷିତ ଭାବେ କୂଳକୁ ଆସିବା ପରେ ଜଣେ ବ୍ୟକ୍ତି ତାଙ୍କୁ ଚାପୁଡ଼ା ମାରୁଛନ୍ତି। ଅନେକଙ୍କ ମତରେ, ବୃଦ୍ଧଙ୍କ ବେପରୁଆ କାର୍ଯ୍ୟ ପାଇଁ ନିଜ ଜୀବନକୁ ବିପଦରେ ପକାଇଥିବା ଉଦ୍ଧାରକାରୀଙ୍କ ରାଗର ପ୍ରକାଶ ଥିଲା ଏହି ଚାପୁଡ଼ା।
ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଲକ୍ଷାଧିକ ଲୋକଙ୍କ ନଜର କାଢ଼ିଛି। କେହି ଉଦ୍ଧାରକାରୀଙ୍କ ସାହସକୁ ପ୍ରଶଂସା କରୁଥିବା ବେଳେ, ଆଉ କେହି ଚାପୁଡ଼ା ଘଟଣାକୁ ନେଇ ଭିନ୍ନ ମତ ଦେଉଛନ୍ତି। ତେବେ ଗୋଟିଏ କଥା ସ୍ପଷ୍ଟ, କିଛି ସାହସୀ ଲୋକଙ୍କ ତତ୍ପରତା ନଥାନ୍ତା, ହୁଏତ ଏକ ବଡ଼ ଅଘଟଣ ଘଟିଯାଇଥାନ୍ତା।