ଭୁବନେଶ୍ୱର: ଭତ୍ତାଧାରୀଙ୍କ ଭତ୍ତା ବନ୍ଦ ହେବାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛି । ଟେକ୍ନିକାଲ ଅସୁବିଧା ପାଇଁ ଭତ୍ତା ବନ୍ଦ କରିବା କଦାପି ଗ୍ରହଣୀୟ ନୁହେଁ । ତୁରନ୍ତ ମାନ୍ୟୁଆଲ୍ ପ୍ରକ୍ରିୟା ବା ହାତରେ ଭତ୍ତା ପ୍ରଦାନ କରିବାକୁ ନବୀନ ଚିଠିରେ ଦାବି କରିଛନ୍ତି ।
ନବୀନ ଚିଠିରେ ତିନି ମାସ ଧରି ଭତ୍ତା ନ ମିଳିବା ଉପରେ କ୍ଷୋଭ ପ୍ରକାଶ କରିଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ୧୮ ଲକ୍ଷ ଭତ୍ତା ଉପଭୋକ୍ତା ରହିଛନ୍ତି । ସେମାନଙ୍କ ମଧ୍ୟରେ ବିଧବା, ବୟସ୍କ ଏବଂ ଦିବ୍ୟାଙ୍ଗ ଉପଭୋକ୍ତା ରହିଛନ୍ତି । ଅଧିକାଂଶ ଲୋକଙ୍କର ଦୈନନ୍ଦିନ ଖର୍ଚ୍ଚ ଭତ୍ତା ଟଙ୍କା ଉପରେ ନିର୍ଭର କରେ । ତେଣୁ ତିନି ମାସ ଧରି ଭତ୍ତା ନମିଳିବା ଦ୍ୱାରା ଲୋକେ ଚିନ୍ତା ଗ୍ରସ୍ତ ହେବା ସହିତ ଭୋକ ଉପାସରେ ରହୁଛନ୍ତି । ଟେକ୍ନିକାଲ ସମସ୍ୟା ହୋଇଥିବା କୁହାଯାଉଛି । ଏହା ସରକାରଙ୍କ ଦାୟିତ୍ୱରେ ଗୁରୁତର ଅବହେଳାକୁ ସୂଚାଉଛି । ଟେକ୍ନିକାଲ ସମସ୍ୟା ଉପରେ ଲୋକଙ୍କ ଅଧିକାରକୁ ଛାଡ଼ି ଦିଆଯାଇପାରିବ ନାହିଁ ବୋଲି ନବୀନ କହିଛନ୍ତି ।
ସେ ଆହୁରି କହିଛନ୍ତି ତାଙ୍କ ସରକାର ୨୪ ବର୍ଷ ମଧ୍ୟରେ କେବେବି ଭତ୍ତା ବନ୍ଦ ହୋଇ ନାହିଁ । ବର୍ତ୍ତମାନର ସଙ୍କଟ ବ୍ୟାଙ୍କ ପଦ୍ଧତି ଯୋଗୁଁ ସୃଷ୍ଟି ହୋଇଛି । ତିନି ମାସ ପାଇଁ ପେନସନ ବନ୍ଦ କରିବା କେବଳ ଏକ ପ୍ରକ୍ରିୟାଗତ ତ୍ରୁଟି ନୁହେଁ, ଏହା ଶାସନର ଏକ ଗମ୍ଭୀର ବିଫଳତାକୁ ପ୍ରତିନିଧିତ୍ୱ କରେ। ତେଣୁ ସମସ୍ତ ପେନସନ ପେମେଣ୍ଟକୁ ମାନୁଆଲ୍ ବଣ୍ଟନ ମାଧ୍ୟମରେ ତୁରନ୍ତ ଦେବାକୁ ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି । ଭବିଷ୍ୟତରେ ଯେପରି ଏଭଳି ସମସ୍ୟା ନ ଉତ୍ପନ୍ନ ହେବ ପେନସନ୍ ଉପଭୋକ୍ତାଙ୍କୁ ତାହା ପ୍ରତିଶ୍ରୁତି ଦେବାକୁ କହିଛନ୍ତି ନବୀନ ।