ଢେଙ୍କାନାଳ: ଜନ୍ତୁ ଶିକାର ପାଇଁ ବୋମା ତିଆରି କରୁଥିବା ବେଳେ ଘଟିଛି ଭୟଙ୍କର ଅଘଟଣ। ବୋମା ବିସ୍ଫୋରଣରେ ଜଣେ ଯୁବକଙ୍କ ଦୁଇ ହାତର ପାପୁଲି ଛିଣ୍ଡି ଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ଏହି ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଗଣ୍ଡତଇଳା ଅଞ୍ଚଳରେ ଘଟିଛି।
ସୂଚନା ଅନୁସାରେ, ଗଣ୍ଡତଇଳା ଦଳିତବସ୍ତିର ବୀରେନ୍ଦ୍ର ନାଏକ ନିଜର ଦୁଇ ସହଯୋଗୀଙ୍କ ସହ ଜଙ୍ଗଲୀ ଜନ୍ତୁ ଶିକାର ଉଦ୍ଦେଶ୍ୟରେ ବୋମା ପ୍ରସ୍ତୁତ କରୁଥିଲେ। ବୋମାକୁ ଜୋରରେ ବାନ୍ଧୁଥିବା ସମୟରେ ହଠାତ୍ ଏହା ବିସ୍ଫୋରଣ ହୋଇଯାଇଥିଲା।
ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବୀରେନ୍ଦ୍ରଙ୍କ ଦୁଇ ହାତର ପାପୁଲି ସମ୍ପୂର୍ଣ୍ଣ ଛିଣ୍ଡି ଯାଇଥିଲା। ସେହିପରି ତାଙ୍କ ସହ ଥିବା ଅନ୍ୟ ଦୁଇ ଜଣ ସହଯୋଗୀ ମଧ୍ୟ ପୋଡ଼ି ହୋଇ ଆହତ ହୋଇଥିବା ଜଣାପଡ଼ିଛି।
ଗୁରୁତର ଆହତ ବୀରେନ୍ଦ୍ରଙ୍କୁ ତୁରନ୍ତ ପରଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଦୁଇ ଆହତ ଯୁବକ ଭୟରେ ଚିକିତ୍ସା ପାଇଁ ମେଡିକାଲକୁ ନ ଆସି ଫେରାର ହୋଇଯାଇଥିବା ସୂଚନା ମିଳିଛି।
ଘଟଣା ସମ୍ପର୍କରେ ଖବର ପାଇ ଡିହଡୋଳ ବନ ବିଭାଗର ଫରେଷ୍ଟର ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଜନ୍ତୁ ଶିକାର ପାଇଁ ବୋମା ପ୍ରସ୍ତୁତ ହେଉଥିବା ସନ୍ଦେହ କରାଯାଉଛି। ତଦନ୍ତ ଶେଷ ପରେ ବୋମା ତିଆରି ଓ ବେଆଇନ ଶିକାର କାର୍ଯ୍ୟରେ ସାମିଲ ଥିବା ସମସ୍ତଙ୍କ ବିରୋଧରେ କଡ଼ା ଆଇନଗତ ପଦକ୍ଷେପ ନିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ବେଆଇନ ଜନ୍ତୁ ଶିକାରକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।