ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟସେବାକୁ ନେଇ ଏକ ଚମକାଇଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି। ଓଡ଼ିଶାର ବିଭିନ୍ନ ସରକାରୀ ଡାକ୍ତରଖାନାରେ ନିଯୁକ୍ତ ହୋଇଥିବା ୧୨୮ ଜଣ ମେଡିକାଲ ଅଫିସର ଓ ଡେଣ୍ଟାଲ ସର୍ଜନ ଦୀର୍ଘ ୫ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିଛନ୍ତି। ରୋଗୀସେବା ଛାଡ଼ି ବର୍ଷ ବର୍ଷ ଧରି ସରକାରୀ ନିର୍ଦ୍ଦେଶକୁ ଅବହେଳା କରୁଥିବା ଏହି ଡାକ୍ତରମାନଙ୍କ ବିରୋଧରେ ଏବେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସୂଚନା ଅନୁସାରେ, ଅନୁପସ୍ଥିତ ଡାକ୍ତରମାନଙ୍କୁ ଫେରି କାର୍ଯ୍ୟରେ ଯୋଗ ଦେବା ଏବଂ ସେମାନଙ୍କ ସ୍ଥିତି ସମ୍ପର୍କରେ ସ୍ପଷ୍ଟୀକରଣ ଦେବା ପାଇଁ ବାରମ୍ବାର ନୋଟିସ୍ ଜାରି କରାଯାଇଥିଲା। ଏପରିକି ଖବରକାଗଜରେ ଇସ୍ତାହାର ମଧ୍ୟ ପ୍ରକାଶ ପାଇଥିଲା। ତଥାପି ସେମାନଙ୍କ ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିଲା।
ଏହାପରେ ମୁଖ୍ୟମନ୍ତ୍ରୀ ଏଭଳି ଅବହେଳାକାରୀ ଡାକ୍ତରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ପ୍ରଥମ ପଦକ୍ଷେପ ସ୍ୱରୂପ କନ୍ଧମାଳ ପୁଲିସ ହସ୍ପିଟାଲର ପୂର୍ବତନ ମେଡିକାଲ ଅଫିସର ଡାକ୍ତର ବିଚକ୍ଷଣା ପାଣିଗ୍ରାହୀଙ୍କୁ ସରକାରୀ ସେବାରୁ ବହିଷ୍କୃତ କରାଯାଇଛି। ସେ ୨୦୧୨ ମସିହାରୁ ଅନଧିକୃତ ଭାବେ କାର୍ଯ୍ୟରେ ଅନୁପସ୍ଥିତ ଥିବା ଅଭିଯୋଗ ରହିଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ନୂଆ ମେଡିକାଲ କଲେଜ, ହସ୍ପିଟାଲ ଏବଂ ଆଧୁନିକ ଭିତ୍ତିଭୂମି ସୃଷ୍ଟି କରୁଛନ୍ତି। କିନ୍ତୁ ନିଯୁକ୍ତି ପାଇବା ପରେ ଯଦି ଡାକ୍ତରମାନେ ଦାୟିତ୍ୱରୁ ଦୂରେଇ ରୁହନ୍ତି, ତାହା ରୋଗୀସେବା ପ୍ରତି ଅନ୍ୟାୟ। ତେଣୁ ଏଭଳି ଅବହେଳାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।